ଭୟଙ୍କର ଭୂସ୍ଖଳନ: ୨ ମୃତ, ୫୧ ଜଣ ନିଖୋଜ

କ୍ୱାଲାଲୁମପୁର: ମାଲେସିୟାର ରାଜଧାନୀ କ୍ୱାଲାଲୁମପୁର ଉପକଣ୍ଠରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଠାରେ ଲୋକମାନଙ୍କ ରହଣୀ ପାଇଁ ହୋଇଥିବା ଗୋଟିଏ କ୍ୟାମ୍ପରେ ଭୂସ୍ଖଳନ ହେବାରୁ ଏଯାଏ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ମାଟି ତଳେ ୫୧ ଜଣ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏଯାଏ ୫୦ ଜଣଙ୍କ ପତ୍ତା ମିଳି ନଥିବା ବେଳେ ସେମାନଙ୍କୁ ଖୋଜି ବାହାର କରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ଭୋର ୩ଟାରେ ସେଲାନଗୋର ପ୍ରଦେଶରେ ଭୂସ୍ଖଳନ ହୋଇଛି। ଏଠାରେ ଥିବା ଗୋଟିଏ ଫାର୍ମ ହାଉସ ଲୋକଙ୍କୁ ରହିବା ପାଇଁ କ୍ୟାମ୍ପ ସୁବିଧା ଯୋଗାଇ ଥାଏ। ଘଟଣା ବେଳେ ଲୋକମାନେ କ୍ୟାମ୍ପ ମଧ୍ୟରେ ଶୋଇଥିଲେ। ଭୂସ୍ଖଳନ ଯୋଗୁ କ୍ୟାମ୍ପରେ ଥିବା ଅଧିକାଂଶ ଲୋକ ମାଟି ତଳେ ଚାପି ହୋଇଯାଇଛନ୍ତି। ସେହିପରି ଏହାକୁ ସଂଯୋଗ କରୁଥିବା ରାସ୍ତାର ଗୋଟିଏ ପାର୍ଶ୍ୱ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ମୋଟ ୭୯ ଜଣ ଭୂସ୍ଖଳନ ପରେ ମାଟି ତଳେ ଚାପି ହୋଇ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଏଯାଏ ୨୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେହିପରି ୨ ଜଣ ପ୍ରାଣ ହରାଇଥିବା ବେଳେ ୫୧ ଜଣ ଏବେ ବି ନିଖୋଜ ରହିଛନ୍ତି। ପ୍ରଶାସନିକ ଅଧିକାରୀ ନୋରାଜମ ଖାମିସ କହିଛନ୍ତି, କ୍ୟାମ୍ପ ହୋଇଥିବା ସ୍ଥାନର ୧୦୦ ଫୁଟ ଉପରୁ ମାଟି ଅତଡ଼ା ଧସିଥିଲା। ପ୍ରାୟ ୧ ଏକର ପରିଧି ମଧ୍ୟରେ ମାଟି ଅତଡ଼ା ଖସିବାରୁ ଲୋକମାନେ ଏହା ତଳେ ଚାପି ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଲାଗିଥିବା ସେ କହିଛନ୍ତି। ବର୍ଷକ ତଳେ ଅବିଶ୍ରାନ୍ତ ବର୍ଷା ଓ ଭୂସ୍ଖଳନ ଯୋଗୁ ୭ ରାଜ୍ୟର ୨୧ ହଜାର ଲୋକ ବିସ୍ଥାପିତ ହୋଇଥିଲେ। ଉକ୍ତ ସେଲାନଗୋର ଅଞ୍ଚଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ପାହାଡ଼ ଠାରୁ ଆରମ୍ଭ କରି ସୁଉଚ୍ଚ ସ୍ଥାନ ସବୁ ରହିଛି। ତେଣୁ ଲୋକମାନେ ଏଠାକୁ ବୁଲିବା ପାଇଁ ଆସନ୍ତି। ସୁନ୍ଦର ପରିବେଶର ମଜା ନେବାକୁ ଅନେକ ଲୋକ କ୍ୟାମ୍ପରେ ରହିବାକୁ ମଧ୍ୟ ପସନ୍ଦ କରନ୍ତି। କିନ୍ତୁ କ୍ୟାମ୍ପରେ ରହିଥିବା ଲୋକ ଏବେ ଭୂସ୍ଖଳନ ଯୋଗୁ ପ୍ରଭାବିତ ହୋଇଛନ୍ତି।

Leave A Reply

Your email address will not be published.