କୁଡ଼ିଆରେ ଶୋଇଥିଲେ ଦମ୍ପତି, ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବଲାଙ୍ଗିର : ଦମ୍ପତିଙ୍କୁ ଜିଅନ୍ତା ପୋଡ଼ି ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଗାଁରେ। ଉଭୟ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଭରତ ଭଇଁଷାଲ ଓ ସ୍ତ୍ରୀ କଳ୍ପନା ଭଇଁଷାଲ। କପାଚାଷ ଜଗିବା ପାଇଁ ଗତକାଲି ରାତିରେ ଭଇଁଷାଲ, ତାଙ୍କ ସ୍ତ୍ରୀ ଚାଷ ଜମି ନିକଟରେ ଥିବା କୁଡିଆ ଭିତରେ ଶୋଇଥିଲେ। ରାତି ଅଧରେ କେହି ଦୁର୍ବୃତ୍ତ କୁଡିଆରେ ନିଆଁ ଲଗାଇ ଫେରାର ମାରିଥିଲା। କୁଡ଼ିଆରେ ନିଆଁ ଲାଗିଯାଇଥିବା ଦେଖି ସ୍ୱାମୀସ୍ତ୍ରୀ ଚିତ୍କାର କରିଥିଲେ।  ଗ୍ରାମବାସୀ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି’ ଦମ୍ପତିଙ୍କୁ ବାହାରକୁ ବାହାର କରିବାକୁ  ଉଦ୍ୟମ କରିଥିଲେ। ନିଆଁ ଘର ଭିତରେ ବ୍ୟାପିଯାଇଥିବାରୁ ଦମ୍ପତିଙ୍କୁ କୁଡ଼ିଆ ବାହାରକୁ ବାହାର କରିବା କଷ୍ଟକର ହୋଇ ପଡ଼ିଥିଲା। ପରେ ବହୁ କଷ୍ଟରେ ଭଇଁଷାଲ, ତାଙ୍କ ସ୍ତ୍ରୀଙ୍କୁ  କୁଡ଼ିଆରୁ ବାହାର କରିଥିଲେ ଗ୍ରାମବାସୀ। ସେମାନଙ୍କ ଦେହରେ ଲାଗି ପୋଡ଼ିଯାଇଥିଲା। ଭଇଁଷାଲ, ତାଙ୍କ ସ୍ତ୍ରୀଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିଏ ଓ କାହିଁକି ଭଇଁଷାଲ ଓ ତାଙ୍କ ସ୍ତ୍ରୀଙ୍କୁ ପୋଡ଼ି ମାରି ଦେବାକୁ ଚେଷ୍ଟା କରୁଥିଲା ତାହା ଜଣାପଡ଼ିନାହିଁ। ସେମାନଙ୍କର କାହା ସହିତ ପୂର୍ବଶତ୍ରୁତା ଥିଲା ନା ଆଉ କିଛି କାରଣ ଅଛି ତାହା ମଧ୍ୟ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.