ଚାଇନାରେ ୬୦ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ ହେବା ଆଶଙ୍କା, ୫ ଦେଶରେ ସ୍ଥିତି ଗମ୍ଭୀର ହେଉଛି

ବେଜିଂ: ଚାଇନାରେ ଭୟଙ୍କର ରୂପ ଧାରଣ କରିଛି କରୋନା ସଂକ୍ରମଣ। ରାଜଧାନୀ ବେଜିଂ ସମେତ ସହରାଞ୍ଚଳରେ ସ୍ଥିତି ଅତି ସାଂଘାତିକ ଥିବା ବେଳେ, ସମଗ୍ର ଦେଶକୁ ମହାମାରୀ କବଳିତ କରିବା ଆଶଙ୍କା ବଢିଯାଇଛି। ଦେଶର ୬୦ ପ୍ରତିଶତ ଲୋକ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞ କହିଛନ୍ତି। ହସ୍ପିଟାଲରେ ଆକ୍ରାନ୍ତଙ୍କ ପାଇଁ ଜାଗା ନାହିଁ। ଶ୍ମଶାନରେ ସଂସ୍କାର କରିବାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ତେଣୁ ଶ୍ମଶାନ ଓ ଶବ ଘରେ ପଡ଼ିରହିଛି ଶହ ଶହ ମୃତଦେହ। ସେପଟେ ଅତି ଗୁରୁତର ନଥିଲେ ଆମ୍ବୁଲାନ୍ସ ନଡାକିବାକୁ ଜନସାଧାରଣଙ୍କୁ କହିଛି ସି. ଜିନପିଙ୍ଗ ପ୍ରଶାସନ। ତା’ ସତ୍ତ୍ୱେ ବି ଦୈନିକ ଆସୁଛି ଅତି କମ୍‌ରେ ୩୦ ହଜାର କଲ୍। ଅନ୍ୟପଟେ ମେଡିକାଲ ସରଞ୍ଜାମ, ଷ୍ଟାଫ ଓ କେମିକାଲ ଅଭାବରୁ ବାଧ୍ୟତାମୂଳକ ଟେଷ୍ଟିଂ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ଫଳରେ ସରକାରୀ ଭାବେ ପ୍ରକାଶ ପାଉଥିବା ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ତେବେ ଏଠାରେ ବାସ୍ତବ କ୍ଷେତ୍ରରେ କରୋନା ଭୟଙ୍କର ଭାବେ ମାଡ଼ି ଚାଲିଛି। ଆସନ୍ତା ଦେଢ଼ମାସ ମଧ୍ୟରେ ଚାଇନା ୬୦ ଭାଗ ଲୋକ, ଅର୍ଥାତ୍ ବିଶ୍ୱ ଜନସଂଖ୍ୟାର ୧୦ ପ୍ରତିଶତ କୋଭିଡ୍‌ରେ ଆକ୍ରାନ୍ତ ହେବେ ଓ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଟପିବ ବୋଲି ବୋଲି ଆଶଙ୍କା ପ୍ରକାଶ ପାଇଛି। ବେଜିଂ ଉପକଣ୍ଠ ଡଙ୍ଗଜିଆଓ ଶ୍ମଶାନରେ ମୃତଦେହ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଏଠାରେ କାମ କରୁଥିବା ଲୋକଙ୍କୁ ନୟାନ୍ତ ହେବାକୁ ପଡୁଛି। ଦିନ ଓ ରାତିର କିଛି ପ୍ରଭେଦ ନାହିଁ। ୨୪ ଘଣ୍ଟା ଚାଲୁଛି ଅନ୍ତିମ ସଂସ୍କାର। ଆଗରୁ ସେଠାକୁ ଦୈନିକ ୩୦ରୁ ୪୦ ମୃତଦେହ ଆସୁଥିବା ବେଳେ, ଏବେ ସଂଖ୍ୟା ୨ ଶହ ଟପିଛି। ସବୁ ମୃତଦେହର ସଂସ୍କାର ହୋଇପାରୁନଥିବାରୁ ହଜାର ହଜାର ମୃତଦେହ ଶବାଗାରରେ ପଡ଼ି ରହିଛି। ଅନ୍ୟପକ୍ଷରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ହାତ ଟେକି ଦେବା ବ୍ୟତୀତ ସରକାରଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ। ଅର୍ଥାତ୍ ସଂକ୍ରମଣ ରୋକିବାକୁ କୌଣସି ପଦକ୍ଷେପ ନିଆଯିବ ନାହିଁ। ଯେଉଁମାନେ ସଂକ୍ରମିତ ହେବାର ଥିବ ହେଇଯିବେ, ସେହିପରି ଯେଉଁମାନଙ୍କର ମୃତ୍ୟୁ ହେବାର ଥିବ ମରିଯିବେ। ଜରୁରୀକାଳୀନ ସେବା ପ୍ରଦାନ ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ନ ଥିବାରୁ ଲୋକଙ୍କୁ ସେମାନଙ୍କ ଭାଗ୍ୟରେ ଛାଡ଼ିଦେବା ବ୍ୟତିତ ସି. ଜିନପିଙ୍ଗ ସରକାର ପାଖରେ କୌଣସି ବିକଳ୍ପ ନାହିଁ ବୋଲି କୁହାଯାଉଛି। ମହାମାରୀ ସଂପୂର୍ଣ୍ଣ ଚିନ୍‌କୁ ଛୁଇଁଗଲା ପରେ ଯେତେ ଶୀଘ୍ର ସମ୍ଭବ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ପଡ଼ିବ ବୋଲି ଭାବୁଛନ୍ତି ଚାଇନା ସରକାର।

Leave A Reply

Your email address will not be published.