ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ୍; ଜଣେ ରୋଗୀ ମୃତ, ୬ ଆହତ

ଜଳେଶ୍ୱର : ଡାକ୍ତରଖାନରୁ ଡାଇଲେସିସ କରି ସମ୍ପର୍କୀୟଙ୍କ ସହ ଆମ୍ବୁଲାନ୍ସରେ ଘରକୁ ଫେରୁଥିଲେ। ଘରେ ପହଞ୍ଚି ପରିବାର ଲୋକଙ୍କୁ ଦେଖିବେ ବୋଲି ମନରେ ସ୍ୱପ୍ନ ଦେଖିଥିଲେ। ହେଲେ ତାଙ୍କର ଏହି  ସ୍ୱପ୍ନ ଅଧାବାଟରେ ଚୁରମାର ହୋଇଗଲା। ଯେଉଁ ଆମ୍ବୁଲାନ୍ସରେ ଘରକୁ ଫେରୁଥିଲେ ବାଟରେ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ୍‌ ଆମ୍ବୂଲାନ୍ସକୁ ଧକ୍କା ଦେବାରୁ  ନିଜର ଜୀବନ ଯିବା ସହ ୬ଜଣ ସମ୍ପର୍କୀୟ ମଧ୍ୟ ଆହତ ହୋଇଥିଲେ। ଏହି ସଡ଼କ  ଦୁର୍ଘଟଣା ଘଟିଛି ବାଘଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ୧୬ ନମ୍ବର ଜାତୀୟ ରାଜପଥର ଖୁସି ପ୍ଲାଜା ନିକଟରେ।  ମୃତ ଆହତ ବ୍ୟକ୍ତିମାନେ ପଶ୍ଚିମବଙ୍ଗର ବୋଲି ଜଣାଯାଇଛି। ଭୁବନେଶ୍ୱର ଏମ୍ସ ହସପିଟାଲରୁ ଡାଇଲେସିସ କରି ଜଣେ ରୋଗୀଙ୍କ ସହ ୬ଜଣ ସମ୍ପର୍କୀୟ ଆମ୍ବୁଲାନ୍ସ ଯୋଗେ ପଶ୍ଚିମବଙ୍ଗ ଫେରୁଥିଲେ। ଆଜି ଭୋର ୫ଟା ସମୟରେ ଖୁସି ପ୍ଲାଜା ନିକଟରେ ଏକ ଟ୍ରକ୍‌ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଜଣେ ରୋଗୀଙ୍କ ସହ ୬ଜଣ ଆହତ ହୋଇଥିଲେ। ପୁଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।  ଆମ୍ବୁଲାନ୍ସରେ ଗାଡ଼ି ଡ୍ରାଇଭର ସହ ୭ଜଣ ଥିଲେ। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ଫେରାର ହୋଇଯାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ଆମ୍ବୁଲାନ୍ସ ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି।

Leave A Reply

Your email address will not be published.