ଜମ୍ମୁ ଓ କଶ୍ମୀରର ରାଜୌରୀରେ ପ୍ରଚଣ୍ଡ ବିସ୍ଫୋରଣ: ଜଣେ ପିଲା ମୃତ; ୫ ଆହତ

ରାଜୌରୀ: ଆଜି ଜମ୍ମୁ ଓ କଶ୍ମୀରର ରାଜୌରୀ ଅନ୍ତର୍ଗତ ଧାଙ୍ଗ୍‌ରୀ ଗାଁରେ ‘ଆଇଇଡି’ ବିସ୍ଫୋରଣ ଯୋଗୁଁ ଜଣେ ପିଲାର ମୃତ୍ୟୁ ଘଟିବା ସହିତ ୫ଜଣ ଲୋକ ଆହତ ହୋଇଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ରବିବାର ଦିନ ଆତଙ୍କବାଦୀମାନଙ୍କ ଗୁଳି ଚୋଟରେ ମୃତ୍ୟୁବରଣ କରିଥିବା ଜଣେ ସାଧାରଣ ନାଗରିକଙ୍କ ଘର ନିକଟରେ ଆଜିର ବିସ୍ଫୋରଣ ଘଟିଛି। ଏହାଛଡ଼ା, ସେ ଅଞ୍ଚଳରେ ଆଉ ଗୋଟାଏ ସନ୍ଦିଗ୍ଧ ‘ଆଇଇଡି’ ମଧ୍ୟ ଠାବ କରାଯାଇଛି। ନିରାପତ୍ତା ବଳ ସେ ‘ଆଇଇଡି’ଟିକୁ ନିଷ୍କ୍ରିୟ କରି ଦେଇଥିଲେ। ଏହି ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଚିକିତ୍ସା ନିମନ୍ତେ ନିକଟବର୍ତ୍ତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସେ ଅଞ୍ଚଳର ୩ଟି ଘର ଭିତରେ ଆତଙ୍କବାଦୀମାନେ ଗୁଳି ଚଳାଇ ୪ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିବାର ଦିନକ ପରେ ଆଜିର ବିସ୍ଫୋରଣ ଘଟିଛି।ଅତିରିକ୍ତ ପୁଲିସ ମହାନିର୍ଦେଶକ ମୁକେଶ ସିଂହ କହିଛନ୍ତି, ଗୁଳିକାଣ୍ଡ ଘଟିଥିବା ପ୍ରଥମ ଘର ନିକଟରେ ବିସ୍ଫୋରଣ ଘଟିଛି। ୫ଜଣ ଆହତ ହୋଇଛନ୍ତି। ଆହତ ହୋଇଥିବା ପିଲାଟିଏ ବି ମରିଛି। ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ସାବଧାନ ରହିବା ଲାଗି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୁରୋଧ।

Leave A Reply

Your email address will not be published.