ସୁସ୍ଥ ହେଉଛନ୍ତି ପନ୍ତ, ଆଇସିୟୁରୁ ପ୍ରାଇଭେଟ୍ ୱାର୍ଡକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତୀୟ ବ୍ୟାଟସ୍‌ମ୍ୟାନ୍ ଋଷଭ ପନ୍ତ। ବଡ ଧରଣର ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ଡେରାଡୁନ ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କୁ ଆଇସିୟୁରୁ ପ୍ରାଇଭେଟ୍ ୱାର୍ଡକୁ ଏବେ ସ୍ଥାନାନ୍ତର କରାଯାଇଛି। ଡିସେମ୍ବର ୩୦ ତାରିଖ ଦିନ ଦିଲ୍ଲୀ-ଡେରାଡୁନ ଜାତୀୟ ରାଜପଥରେ ତାଙ୍କ କାର୍ ଭୟଙ୍କର ଭାବେ ଦୁର୍ଘଟଣା ହୋଇଥିଲା। ଏଥିରେ ୨୫ ବର୍ଷୀୟ ଋଷଭ ପନ୍ଥ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ଡେରାଡୁନ୍‌ର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ଋଷଭ ସୁସ୍ଥ ଥିବା ନେଇ ଡେଲି ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ୍ ତଥା ଡିଡିସିଏର ନିର୍ଦ୍ଦେଶକ ଶ୍ୟାମ ଶର୍ମା ସୂଚନା ଦେଇଛନ୍ତି। ସଂକ୍ରମଣ ହେବା ଆଶଙ୍କା ଥିବାରୁ ଋଷଭ ପନ୍ତଙ୍କୁ ଗତକାଲି ସନ୍ଧ୍ୟାରେ ପ୍ରାଇଭେଟ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ପାଞ୍ଚ ଜଣ ବିଶେଷଜ୍ଞ ଡାକ୍ତର ଟିମ୍ ପନ୍ତଙ୍କ ୨୪ ଘଣ୍ଟିଆ ଦେଖାରେଖାରେ ନିୟୋଜିତ ଅଛନ୍ତି। ଡାକ୍ତରଙ୍କ କହିବା ମୁତାବକ ସେ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି। ତେବେ ଋଷଭଙ୍କ ଗୋଡ ଲିଗାମେଣ୍ଟର ଚିକିତ୍ସା କେଉଁଠି କରାଯିବ ତାହା ବିସିସିଆଇ ନିଷ୍ପତ୍ତି ନେବ ବୋଲି ଡିଡିସିଏର ନିର୍ଦ୍ଦେଶକ କହିଛନ୍ତି। ସେପଟେ ବିସିସିଆଇର କହିଛି, ପନ୍ତଙ୍କ କପାଳରେ ଦୁଇଟି କ୍ଷତ ହୋଇଛି। ତାଙ୍କ ଡାହଣ ଆଣ୍ଠୁରେ ଲିଗାମେଣ୍ଟ ଛିଡ଼ିଯାଇଛି। ତାଙ୍କ ଡାହଣ ମଣିବନ୍ଧ, ବଳାଗଣ୍ଠି, ପାଦ ବୁଢ଼ା ଆଙ୍ଗୁଠି ଓ ପିଠିରେ ମଧ୍ୟ ଆଘାତ ଲାଗିଛି। କିନ୍ତୁ, ଏଥିପାଇଁ ତାଙ୍କୁ ବିଦେଶ ନେବାକୁ ପଡ଼ିବ କି, ନାହିଁ ସ୍ଥିର କରାଯିବ। ସେହି ଅନୁସାରେ ତାଙ୍କର ପ୍ଲାଷ୍ଟିକ୍ ସର୍ଜରି ବ୍ୟବସ୍ଥା ନିମନ୍ତେ ବି ନିଷ୍ପତ୍ତି ଗ୍ରହଣ କରାଯିବ।

Leave A Reply

Your email address will not be published.