ଦିଲ୍ଲୀ ଦୁର୍ଘଟଣା ମାମଲାରେ ନୂଆ ମୋଡ଼, ସ୍କୁଟିରେ ଅଞ୍ଜଳିଙ୍କ ସହ ଥିଲେ ଆଉ ଜଣେ ଯୁବତୀ

ନୂଆଦିଲ୍ଲୀ: ଦିଲ୍ଲୀ ସୁଲତାନପୁରୀ କଞ୍ଝାବଲା ଅଞ୍ଚଳରେ ଜଣେ ଯୁବତୀଙ୍କୁ କର୍ ଘୋଷାଡି ନେଇଥିବା ମାମଲାରେ ନୂଆ ମୋଡ ସାମ୍ନାକୁ ଆସିଛି। ଘଟଣା ଦିନ ମୃତ ଅଞ୍ଜଳି ସିଂହ ସ୍କୁଟିରେ ଏକା ନଥିଲେ। ତାଙ୍କ ସହ ଆଉ ଜଣେ ଯୁବତୀ ମଧ୍ୟ ଥିଲେ ବୋଲି ପୁଲିସ ତଦନ୍ତରୁ ଖୁଲାସା ହୋଇଛି। ସେହି ଦିନ ରାତିରେ ଅଞ୍ଜଳିଙ୍କ ସ୍କୁଟି ଯେତେବେଳେ ଦୁର୍ଘଟଣାର ଶିକାର ହୋଇଥିବା ସେତେବେଳେ ସ୍କୁଟି ପଛପଟେ ଆଉ ଜଣେ ଯୁବତୀ ମଧ୍ୟ ବସିଥିଲେ। ପୁଲିସ ସୂଚନା ମୁତାବକ, ଦୁର୍ଘଟଣା ବେଳେ ଉକ୍ତ ଯୁବତୀଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ଏହାପରେ ସେ ଘଟଣାସ୍ଥଳରୁ ନିଜ ଘରକୁ ଚାଲିଯାଇଥିଲେ। କିନ୍ତୁ ଅଞ୍ଜଳିଙ୍କ ଗୋଡ ଦୁର୍ବୃତ୍ତଙ୍କ କାର୍ ଏକ୍ସେଲ୍‌ରେ ଫସି ଯାଇଥଇଲା। ଏହାପରେ ଅଭିଯୁକ୍ତମାନେ ଅଞ୍ଜଳିଙ୍କୁ ଘୋଷାଡି ନେଇଥିଲେ। ଉକ୍ତ ଦ୍ୱିତୀୟ ଯୁବତୀଙ୍କୁ ପୁଲିସ ଟ୍ରେସ୍ କରିସାରିଛି। ଖବଶୀଘ୍ର ଯୁବତୀଙ୍କ ବୟାନ ରେକର୍ଡ କରାଯିବ ବୋଲି ପୁଲିସ କହିଛି। ସେପଟେ ଗତ ରାତିରେ ସ୍ୱତନ୍ତ୍ର କମିଶନର ଶାଲିନୀ ସିଂହ ଦୁର୍ଘଟଣା ସ୍ଥଳକୁ ଯାଇଥିଲେ। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ତାଙ୍କ ନେତୃତ୍ୱ ବର୍ତ୍ତମାନ ଯାଞ୍ଚ କରାଯାଉଛି। ପୁଲିସ ପଚରାଉଚରାରୁ ଜଣାପଡିଛି ଯେ, ସମସ୍ତ ଅଭିଯୁକ୍ତ ଦୁର୍ଘଟଣା ଦିନ ନୂଆବର୍ଷ ପାଳନ ପାଇଁ ଏକାଠି ହୋଇଥିଲେ। ସମସ୍ତେ କାର୍‌ରେ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଥିଲେ। ନୂଆବର୍ଷ ଉତ୍ସବ ପାଳନ କରି ଫେରିବା ବେଳେ ସ୍କୁଟି ସହ ତାଙ୍କ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ଗାଡି ବ୍ୟାକ୍ କରି ସେମାନେ ଚାଲିଯାଇଥିଲେ। ଗାଡି ତଳେ ଅଞ୍ଜଳି ଫଶି ରହିଥିବା କଥା ଅଭିଯୁକ୍ତମାନେ ଜାଣି ନଥିବା କହିଛନ୍ତି। ଗାଡି ଯେତେବେଳେ ୟୁଟର୍ଣ୍ଣ ନେଇଥିଲା ସେତେବେଳେ ଯୁବତୀଙ୍କ ହାତ ଦେଖିବାକୁ ପାଇଥିଲା ଜଣେ ଅଭିଯୁକ୍ତ। ଏହାପରେ ଗାଡି ଅଟକାଇଥିଲେ। ସମସ୍ତ ଅଭିଯୁକ୍ତ କାର୍‌ରୁ ଓହ୍ଲାଇ ଦେଖିବା ବେଳେ ଅଞ୍ଜଳିଙ୍କ ମୃତ୍ୟୁ ହୋଇସାରିଥିଲା। ଏହାପରେ ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Leave A Reply

Your email address will not be published.