୨୮ରୁ ଖଣ୍ଡଗିରି ମେଳା

ଭୁବନେଶ୍ୱର : ଦୁଇ ବର୍ଷର ନିରବତା ପରେ ପୁଣି ଥରେ ଆଲୋକିତ ହେବ ଖଣ୍ଡଗିରିର ଯାତ୍ରା ପେଣ୍ଡାଲ୍‌। ଆଉ ଗୁଞ୍ଜରିତ ହେବ ଗୁରୁଗମ୍ଭୀର ଡାଇଲଗ୍‌। ସଙ୍ଗୀତ ମୂର୍ଚ୍ଛନାରେ ଆଚ୍ଛାଦିତ ହେବ ଖଣ୍ଡଗିରିର ପାଦଦେଶ। ରଙ୍ଗୀନ ଆଲୋକରେ ଆଚ୍ଛାଦିତ ହେବ ଖଣ୍ଡଗିରି ଗୁମ୍ଫା। କୋଭିଡ୍‌ ଗାଇଡ୍‌ଲାଇନ୍‌ ଚଳିତବର୍ଷ ହେବ ଯାତ୍ରା ମୁହାକୁମ୍ଭ। ଖଣ୍ଡଗିରି ମେଳା ଜାନୁଆରୀ ୨୮ ତାରିଖରୁ ଆରମ୍ଭ ହେଉଥିବା ବେଳେ ଯାତ୍ରା ୩୦ ତାରିଖରୁ ଆରମ୍ଭ ହେବ। ଆଜି ବସିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଖଣ୍ଡଗିରି ମାଘମେଳା ପାଇଁ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ବିଏମ୍‌ସି ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରିଥିଲେ। ବୈଠକରେ କମିଶନରେଟ୍‌ ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ, ପାନୀୟ ଜଳ ବିଭାଗର ଅଧିକାରୀ, ପୂଜା କମିଟି, ଯାତ୍ରା କମିଟି କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ମେଳା ଓ ଯାତ୍ରା କେମିତି ଶୃଙ୍ଖଳିତ ହୋଇପାରିବ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ନିଷ୍ପତ୍ତି ଅନୁସାରେ ଚଳିତବର୍ଷ ଯାତ୍ରା ମହାକୁମ୍ଭ ଜାନୁଆରୀ ୩୦ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ଏକା ଥରକେ ୫ଟି ଯାତ୍ରା ପାର୍ଟିକୁ ନାଟକ ପରିବେଷଣ ପାଇଁ ଅନୁମତି ଦିଆଯିବ। କୌଣସି ବର୍ଗଙ୍କୁ ଆଘାତ ଦେଲା ଭଳି ଯାତ୍ରା ପରିବେଷଣ କରିପାରିବେ ନାହିଁ। ଯାତ୍ରାରେ କୌଣସି ଉତ୍ତେଜିତ କରିବା ଶବ୍ଦ ବ୍ୟବହାର କରିପାରିବେ ନାହିଁ। ଲାଉଡ୍‌ ସ୍ପିକରରେ ଯାତ୍ରା ପ୍ରଚାର ହୋଇପାରିବ ନାହିଁ। ରାସ୍ତା କଡରେ ପାର୍କିଂ କଲେ ବଡ଼ ଫାଇନ୍‌ ଗଣିବାକୁ ପଡ଼ିବ। ମେଲଣ ପଡିଆ, ଓଏସ୍‌ଆରଟିସି ପଡିଆ ଓ ଏସଆଇରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ଗାଡି ଷ୍ଟାଣ୍ଡରେ ରେଟ୍‌ ଚାର୍ଟ ଲାଗିବ। ଯଦି କୌଣସି ବ୍ୟକ୍ତି ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନେଉଥିବ, ତାହାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.