ଧ୍ୱଂସ ହେଉଛି ସହର, ହୋଟେଲ ସମେତ ଭଙ୍ଗାଯିବ ଅନେକ ଘର

ଡେରାଡୁନ: ଧୀରେ ଧୀରେ ଧ୍ୱଂସ ହେବାକୁ ଯାଉଛି ସହର। ମାଟି ତଳେ ପୋତି ହୋଇଯିବ ଉତ୍ତରାଖଣ୍ଡର ଯୋଶୀମଠ । ଦିନକୁ ଦିନ ଏଠି ମାଟି ଧସିବାରେ ଲାଗିଛି। ଫଳରେ ଅନେକ ଘର ଓ ହୋଟେଲ୍ ଗୁଡିକରେ ଭୟଙ୍କର ଫାଟ ସୃଷ୍ଟି ହୋଇଛି। ଏବେ ବି ଅନେକ ବଡ ବଡ କୋଠା ଅସୁରକ୍ଷିତ ଅବସ୍ଥାରେ ରହିଛି। ତେଣୁ ଏହାକୁ ଭାଙ୍ଗିବାକୁ ପ୍ରସ୍ତୁତି ହୋଇଛି ପ୍ରଶାସନ।ଚମୋଲି ଯୋଶୀମଠରେ ଅସୁରକ୍ଷିତ ଅବସ୍ଥାରେ ଥିବା ୨ଟି ହୋଟେଲକୁ ଭାଙ୍ଗିବାକୁ ବୁଲଡୋଜର ପହଞ୍ଚିଛି। କେବଳ ହୋଟେଲ ନୁହେଁ ଭଙ୍ଗା ହେବା ତାଲିକାରେ ରହିଛି ୧୦୦ରୁ ଅଧିକ ବିପଦ ସଙ୍କୁଳ ଘର। ଭଙ୍ଗା ହେବା ପୂର୍ବରୁ ଲୋକଙ୍କ ସୁରକ୍ଷା ନେଇ ଡାକବାଜି ଯନ୍ତ୍ରରେ ଦୂରତା ରଖିବାକୁ କୁହାଯାଇଛି। ୬ ଶହରୁ ଅଧିକ ଘରୁ ପ୍ରାୟ ୪ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଯୋଶୀମଠର ସିଙ୍କିଂ ସହରରେ ଘର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିପଦପୂର୍ଣ୍ଣ ମାଉଣ୍ଟ ଭିୟୁ ଏବଂ ମଲାରି ଇନ୍‌ ହୋଟେଲ୍‌କୁ ଭଙ୍ଗାଯିବ ବୋଲି ସୂଚନା ରହିଛି। ଏହି ଘରଭଙ୍ଗା କାର୍ଯ୍ୟ ସମୟରେ ନିକଟସ୍ଥ ଅଞ୍ଚଳରେ ଟ୍ରାଫିକ୍‌ ପୁଲିସ୍‌ ଟ୍ରାଫିକ୍‌ ଗତିବିଧି ଉପରେ ନଜର ରଖିବ। ଅସୁରକ୍ଷିତ ଏବଂ ବଫର୍‌ ଜୋନ୍‌ ବୋଲି ଦର୍ଶାଯାଇଥିବା ବିଲ୍ଡିଂଗୁଡ଼ିକର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। କ୍ରମାଗତ ଭୂମି ଦବିଯାଉଥିବାରୁ ଉତ୍ତରାଖଣ୍ଡର ଯୋଶୀମଠ ନଗରୀରେ ଅନେକ ଘର ଫାଟିବା ଆରମ୍ଭ ହୋଇଛି। ଘର ଫାଟିବା ଯୋଗୁ ଅନେକ ପରିବାର ସ୍ଥାନୀୟ ଅଞ୍ଚଳ ଛାଡ଼ି ପଳାଇ ଯାଉଥିବା‌ ବେଳେ ଅନେକଙ୍କୁ ସରକାରୀ ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି। ଫଟା ଘର ସବୁକୁ ମୁନିସ୍‌ପାଲିଟି ସର୍ଭେ କରୁଛି। ଗତକାଲି ଯୋଶୀମଠରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏକ ଟିମ୍ ସମେତ ୨ଟି କେନ୍ଦ୍ରୀୟ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯୋଶୀ ମଠର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବା ପାଇଁ କେନ୍ଦ୍ର ସରକାର ୭ଟି ପୃଥକ ଅନୁଷ୍ଠାନର ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି। ପ୍ରଭାବିତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ମାଗଣାରେ ରାସନ ସହିତ ପରିବାର ପିଛା ୫ ହଜାର ଟଙ୍କା ଦିଆଯାଇଛି।

Leave A Reply

Your email address will not be published.