ଯୋଶୀମଠ ପରେ ଏବେ ଉତ୍ତରପ୍ରଦେଶରେ ବି ଘର ଫାଟିଲାଣି

ଆଲିଗଡ଼: ଉତ୍ତରାଖଣ୍ଡର ଯୋଶୀମଠ ଓ କର୍ଣ୍ଣପ୍ରୟାଗ ସହରର ବିଭିନ୍ନ ଅଞ୍ଚଳ ଦବିବା ସହ ଶତାଧିକ ଘର ଫାଟିବାରେ ଲାଗିଛି। ସହର ଦବୁଥିବାରୁ ରାସ୍ତାଘାଟ ମଧ୍ୟ ଫାଟି ଆଁ କଲାଣି। ଏହାକୁ ନେଇ ଲୋକମାନେ ଭୟଭୀତ ହେଉଥିବା ବେଳେ ଏବେ ଉତ୍ତରପ୍ରଦେଶର ଆଲିଗଡ଼ରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଆଲିଗଡ଼ର କନୱାରିଗଞ୍ଜ ଅଞ୍ଚଳରେ ଏକାଧିକ ଘରର କାନ୍ଥ ହଠାତ୍‌ ଫାଟିବା ଆରମ୍ଭ ହେଲାଣି। ଯୋଶୀମଠରେ ଯେମିତି ଘର ଫାଟିବାରେ ଲାଗିଛି, ଏଠାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ କନୱାରିଗଞ୍ଜର ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏଠାରେ ରହୁଥିବା ଶଶି ନାମକ ଜଣେ ମହିଳା କହିଛନ୍ତି, “ବିଗତ କିଛି ଦିନ ହେଲା ଆମମାନଙ୍କ ଘର ଫାଟିବା ଆରମ୍ଭ ହୋଇଛି। କାନ୍ଥ ଠାରୁ ଆରମ୍ଭ କରି ଛାତରେ ଫାଟ ସୃଷ୍ଟି ହେବାରୁ ଆମେ ଭୟରେ ଜୀବନ କାଟୁଛୁ। ଆମେ ପୌରପାଳିକାକୁ ଏନେଇ ଅଭିଯୋଗ କରିଥିଲୁ। କିନ୍ତୁ ସେମାନେ କେବଳ ପ୍ରତିଶ୍ରୁତି ଦେଇ ଚୁପ ବସି ଯାଇଛନ୍ତି। କାଳେ ଘରଗୁଡ଼ିକ ଭୁଶୁଡ଼ି ପଡ଼ିବ, ସେହି ଭୟ ଆମକୁ ଘାରିଛି।”ସ୍ଥାନୀୟ ଲୋକଙ୍କ କହିବା କଥା ଯେ ସ୍ମାର୍ଟସିଟି ସ୍କିମ ଅଧୀନରେ ସରକାର ଏଠାରେ ଗୋଟିଏ ପାଇପ ଲାଇନ ବିଛାଇଛନ୍ତି। ତେବେ ପାଇପ ଫାଟି ଯାଇଥିବାରୁ ଲୋକଙ୍କ ଘରେ ଫାଟ ସୃଷ୍ଟି ହେଉଛି। ୩ରୁ ୪ ଦିନ ହେଲାଣି ଲୋକଙ୍କ ଘରେ ଏପରି ଫାଟ ସୃଷ୍ଟି ହେଲାଣି। ଲୋକମାନେ ବିଭାଗୀୟ ଅଧିନକାରୀଙ୍କୁ ଏବିଷୟରେ ଜଣାଇଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଅତିରିକ୍ତ କମିଶନର ରାକେଶ କୁମାର ଯାଦବ କହିଛନ୍ତି ଯେ ଏହି ପ୍ରସଙ୍ଗକୁ ଆମେ ନିଜ ଆଡ଼ୁ ଗୁରୁତ୍ୱର ସହ ନେଇଛୁ। ଏଥିସହ ବିଭାଗ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ। ଆମେ ଟିମ ଘଟଣାସ୍ଥଳକୁ ଯାଇ ଫାଟ କ’ଣ ପାଇଁ ସୃଷ୍ଟି ହୋଇଛି, ତା’ର ଯାଞ୍ଚ କରିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.