ଦବୁ ଥିବା ଯୋଶୀମଠରେ ଉଚ୍ଛେଦକୁ ନେଇ ବଡ଼ ବିକ୍ଷୋଭ, ଫାଟିଲାଣି ୭୨୩ ଘର

ଯୋଶୀମଠ: ଉତ୍ତରାଖଣ୍ଡର ପର୍ଯ୍ୟଟନସ୍ଥଳ ଯୋଶୀମଠ ଧୀରେଧୀରେ ଦିବାରେ ଲାଗିଛି। ଏଥିଯୋଗୁ ଏକାଧିକ ଘର ଓ ହୋଟେଲ ଫାଟି ଆଁ କରିଛି। ଏହି ବିପଦସଙ୍କୁଳ ହୋଟେଲ ଓ ଘରକୁ ଭାଙ୍ଗିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେବା ପରେ ଲୋକମାନେ ବିକ୍ଷୋଭ ଆରମ୍ଭ କରିଛନ୍ତି। ବିନା କୌଣସି ଥଇଥାନ ଓ କ୍ଷତିପୂରଣ ବିନା ଏପରି ଉଚ୍ଛେଦକୁ ସେମାନେ ବିରୋଧ କରିଛନ୍ତି। ଏବେ ଉତ୍ତରାଖଣ୍ଡରେ ପ୍ରବଳ ଥଣ୍ଡ ହେଉଥିଲେ ହେଁ ଶତାଧିକ ଲୋକ ଉଚ୍ଛେଦ ବିରୋଧରେ ରାତିତମାମ ରାସ୍ତାରେ ବସି ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି। ଲୋକମାନେ ନିଜ ଜାଗାରେ ଘର ଓ ହୋଟେଲ କରି ଦୀର୍ଘ ବର୍ଷ ହେଲା ରହି ଆସୁଥିଲେ। ହେଲେ ଏବେ ସେହିସବୁ ସ୍ଥାନରୁ ସେମାନଙ୍କୁ ହଟାଇ ଦିଆଯାଇଛି। ଏଥିପାଇଁ ସରକାର ନିର୍ଦ୍ଦିଷ୍ଟ ଭାବେ କେତେ କ୍ଷତିପୂରଣ ଦେବେ, ସେକଥା ମଧ୍ୟ କହି ନାହାନ୍ତି। ତେଣୁ ଲୋକମାନେ ନିଜ ଭିଟା ମାଟିକୁ ଛାଡ଼ିବାକୁ ନାରାଜା। ଯେଉଁମାନେ ନିଜ ଭିଟା ମାଟି ଛାଡ଼ୁଛନ୍ତି, ସେମାନେ ମଧ୍ୟ ଲୁହ ଓ କୋହକୁ ସମ୍ଭାଳି ପାରୁ ନାହାନ୍ତି। କେବଳ ଲୋକଙ୍କ ଘର ନୁହେଁ, ଯୋଶୀମଠରେ ଥିବା ଏକାଧିକ ହୋଟେଲକୁ ମଧ୍ୟ ଭାଙ୍ଗିବାକୁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି। ତେଣୁ ହୋଟେଲ ମାଲିକ ଓ ସ୍ଥାନୀୟ ଲୋକମାନେ ଉଚ୍ଛେଦକୁ ବିରୋଧ କରିଛନ୍ତି। ଏଥିସହ ବଦ୍ରୀନାଥ ଧାମ ମାଷ୍ଟର ପ୍ଲାନ ଅଧୀନରେ ସେମାନେ କ୍ଷତିପୂରଣ ଦାବି କରିଛନ୍ତି।

Leave A Reply

Your email address will not be published.