ସାଂସଦଙ୍କ ଦେହାନ୍ତ, ଭାରତ ଯୋଡୋ ଯାତ୍ରାରେ ହୃଦଘାତ

ଚଣ୍ଡିଗଡ: ଭାରତ ଯୋଡୋ ଯାତ୍ରା ବେଳେ କଂଗ୍ରେସ ସାଂସଦଙ୍କୁ ହୃଦ୍‌ଘାତ। ଚାଲିଗଲା ସନ୍ତୋଖ ସିଂହ ଚୌଧୁରୀଙ୍କ ଜୀବନ। ଆଜି ସକାଳେ ପଞ୍ଜାବର ଫିଲୌର୍‌ଠାରେ ଭାରତ ଯୋଡ଼ୋ ଯାତ୍ରାରେ ଯାଉଥିବା ବେଳେ ଜଳନ୍ଧରର କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ କଂଗ୍ରେସ ସଂସଦ ରାହୁଲ ଗାନ୍ଧିଙ୍କ ସହ ସନ୍ତୋଖ ସିଂହ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ। ତାଙ୍କ ସହ ପଦ ଯାତ୍ରା କରିବା ବେଳେ ସନ୍ତୋଖଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍‌ସ୍ ଯୋଗେ ଲୁଧିଆନାର ଫଗ୍‌ୱାରାସ୍ଥିତ ବିର୍କ ହସ୍ପିଟାଲ୍‌କୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି। ଏହି ଖବର ପାଇବା ପରେ ରାହୁଲ ଗାନ୍ଧି ଭାରତ ଯୋଡୋ ଯାତ୍ରା ଛାଡି ତୁରନ୍ତ ହସ୍ପିଟାଲରେ ପହଞ୍ଚିଛନ୍ତି। ସେପଟେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କର ଦେହାନ୍ତ ଖବର ପାଇ ଶୋକ ବ୍ୟକ୍ତ କରିଛନ୍ତି। ଜଳନ୍ଧରର କଂଗ୍ରେସ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ଅକାଳ ବିୟୋଗ ଯୋଗୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ଆତ୍ମା ଶାନ୍ତି ଲାଭ କରୁ ବୋଲି ଟୁଇଟ୍ କରି ଲେଖିଛନ୍ତି।

Leave A Reply

Your email address will not be published.