ନୃତ୍ୟ ନିପୁଣା ଜିଲ୍ଲାପାଳ, ସମସ୍ତଙ୍କ ମନ ମୋହିଲେ

ସୋନପୁର : ମଞ୍ଚ ଦୁଲୁକାଇଲେ ଜିଲ୍ଲାପାଳ। ଜଣେ ପୋଖତ କଳାକାର ପରି ନିଜ ନୃତ୍ୟରେ ସମସ୍ତଙ୍କ ମନ ମୋହିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ ଜଣେ ଦକ୍ଷ ପ୍ରଶାସିକା ସାଙ୍ଗକୁ ଜଣେ ଭଲ ନୃତ୍ୟାଙ୍ଗନା ମଧ୍ୟ। ପୂର୍ବରୁ ତାଙ୍କ ପ୍ରଶାସନିକ ଦକ୍ଷତା ଜିଲ୍ଲାବାସୀ ଦେଖି ସାରିଥିବା ବେଳେ ଏବେ ଦେଖିଲେ ତାଙ୍କ ନୃତ୍ୟ ନିପୁଣତା। ସୁବର୍ଣ୍ଣପୁର ରାମେଶ୍ୱର ଷ୍ଟାଡିଅମଠାରେ ଗତ ଶୁକ୍ରବାରଠାରୁ ଆୟୋଜିତ ହେଉଛି ସୁବର୍ଣ୍ଣଉତ୍ସବ ୨୦୨୩ । ଏହି ଉତ୍ସବ ୫ ଦିନ ଧରି ଚାଲିବାକୁ ଥିବା ବେଳେ ଆସନ୍ତା ମଙ୍ଗଳବାର ଉଦ୍‌ଯାପିତ ହେବ । ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ରବିବାର ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ ଯୋଗ ଦେଇଥିଲେ। ଏହି ଅବସରରେ କଳାକାରଙ୍କୁ ଉତ୍ସାହିତ କରିବାକୁ ଯାଇ ନିଜେ ମଞ୍ଚକୁ ଉଠି ଯାଇଥିଲେ ଜିଲ୍ଲାପାଳ । ଆଉ ବେଶ୍‌ ସୁନ୍ଦର ଅଙ୍ଗଭଙ୍ଗୀରେ ଜଣେ ପୋଖତ ନୃତ୍ୟଶିଳ୍ପୀ ପରି ନୃତ୍ୟ ପରିବେଷଣ କଲେ। ଜିଲ୍ଲାପାଳଙ୍କ ନୃତ୍ୟ ନିପୁଣତା ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇ ରହିଗଲେ। କାରଣ ଜିଲ୍ଲାପାଳଙ୍କ ଏ ଦକ୍ଷତା ପୂର୍ବରୁ କେହି ଦେଖି ନ ଥିଲେ। ୨୦୧୫ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ନରୱାଣେଙ୍କ ଘର ମହାରାଷ୍ଟ୍ର । ପିଲା ବେଳୁ ଜଣେ ଆଇଏଏ ଅଫିସର ହେବାକୁ ସ୍ୱପ୍ନ ଦେଖୁଥିବା  ନରୱାଣେ ପ୍ରଥମେ IRS ଚାକିରି ପାଇଥିଲେ। କିନ୍ତୁ ଆଇଏଏସ୍‌ ହେବା ସ୍ୱପ୍ନକୁ ପୂରଣ କରିବାରେ ଲାଗି ପଡ଼ିଥିବା ନରୱାଣେ ୨୦୧୫ ମସିହାରେ UPSC ପରୀକ୍ଷାରେ ମହାରାଷ୍ଟ୍ର ଟପ୍ପର ହୋଇଥିଲେ।  ନିଜ କ୍ୟାରିଅର ଆରମ୍ଭରେ ରାଉରକେଲା ଏଡିଏମ୍‌ ଭାବେ ନିଯୁକ୍ତି ପାଇଥିବା ନରୱାଣେ ଗତବର୍ଷ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ। ଜଣେ ପାରଙ୍ଗମ ନୃତ୍ୟାଙ୍ଗନା ଭାବେ ନରୱାଣେ ପୂର୍ବରୁ ବି ନିଜ ଛାପ ଛାଡ଼ି ସାରିଛନ୍ତି ।

Leave A Reply

Your email address will not be published.