ହାଇଦ୍ରାବାଦରେ ବିଖ୍ୟାତ ଚଳଚ୍ଚିତ୍ର ନିର୍ମାତା-ଅଭିନେତା କେ. ବିଶ୍ବନାଥଙ୍କ ଦେହାନ୍ତ

ହାଇଦ୍ରାବାଦ: ‘ଦାଦା ସାହେବ ଫାଲ୍‌କେ’ ପୁରସ୍କାରପ୍ରାପ୍ତ ବିଖ୍ୟାତ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା କସୀନଥୁନୀ ବିଶ୍ବନାଥଙ୍କର ଗୁରୁବାର ମଧ୍ୟରାତ୍ର ସମୟରେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ୯୨ ବର୍ଷ ହୋଇଥିବା ବିଶ୍ବନାଥ ବୟସାଧିକ୍ୟଜନିତ ସମସ୍ୟା ଯୋଗୁଁ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ‘କଳାତପସ୍ବୀ’ ନାମରେ ସୁପରିଚିତ ବିଶ୍ବନାଥ ୧୯୩୦ ଫେବ୍ରୁଆରିରେ ଆନ୍ଧ୍ରପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ। କେବଳ ତେଲୁଗୁ ନୁହେଁ, ତାମିଲ ଓ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ସୁଖ୍ୟାତି ଅଛି।ଜଣେ ସାଉଣ୍ଡ୍‌ ଆର୍ଟିଷ୍ଟ୍‌ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବିଶ୍ବନାଥ ‘ଶଙ୍କରାଭରଣମ୍‌’, ‘ସାଗର ସଙ୍ଗମମ୍’, ‘ସ୍ବାତୀ ମୁତ୍ୟମ୍‌’, ‘ସପ୍ତପଦୀ’, ‘କାମ୍‌ଚୋର୍‌’, ‘ସଂଯୋଗ’ ଏବଂ ‘ଜାଗ୍‌ ଉଠା ଇନ୍‌ସାନ୍‌’ ଭଳି ପୁରସ୍କାର ବିଜୟୀ ଚଳଚ୍ଚିତ୍ରଗୁଡ଼ିକର ନିର୍ଦେଶନା ଦେଇଥିଲେ। ତାଙ୍କ ନିର୍ଦେଶିତ ପ୍ରଥମ ଚଳଚ୍ଚିତ୍ର ଥିଲା ଆକ୍କିନେନି ନାଗେଶ୍ବର ରାଓଙ୍କ ଅଭିନୀତ ‘ଆତ୍ମ ଗୌରବମ୍’, ଯାହା ସର୍ବୋତ୍ତମ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ଭାବେ ‘ନନ୍ଦୀ ପୁରସ୍କାର’ ବିଜୟୀ ହୋଇଥିଲା। ଏହା ପରେ ସେ ‘ଚେଲ୍ଲେଲି କାପୁରମ୍‌’, ‘ଓ ସୀତା କଥା’, ‘ଜୀବନ ଜ୍ୟୋତି’ ଏବଂ ‘ସାରଦା’ ଆଦି ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିଲେ। ସେହିପରି, ‘ସ୍ବରାଭିଷେକମ୍’, ‘ପନ୍ଦୁରଙ୍ଗଦୁ’, ‘ନରସିଂହ ନାଇଡୁ’, ‘ଲକ୍ଷ୍ମୀ ନରସିଂହ’, ‘ସୀମାସିହଂମ୍‌’, ‘କୁରୁତିପୁନାଲ’, ‘କାକ୍କାଇ ସିରଗିନିଲାଏ’ ଏବଂ ‘ଭଗବତୀ’ ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ଉତ୍କୃଷ୍ଟ ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ତାଙ୍କୁ ୨୦୧୬ରେ ୪୮ତମ ‘ଦାଦା ସାହେବ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏହା ବ୍ୟତିରେକେ, ୧୯୯୨ରେ ତାଙ୍କୁ ‘ପଦ୍ମଶ୍ରୀ’, ‘୫ଥର ଜାତୀୟ ପୁରସ୍କାର’, ‘୨୦ ଥର ନନ୍ଦୀ ପୁରସ୍କାର’ (ଆନ୍ଧ୍ରପ୍ରଦେଶ ସରକାରଙ୍କଦ୍ବାରା ପ୍ରଦତ୍ତ) ଏବଂ ଜୀବନବ୍ୟାପୀ କୃତ୍ବିତ୍ବ ପୁରସ୍କାର ସମେତ ୧୦ ଥର ‘ଫିଲ୍ମଫେୟାର୍‌ ଟ୍ରଫି’ ମଳିଥିଲା। ୧୯୬୫ ମସିହାରୁ ୫୦ଟି ଚଳଚ୍ଚିତ୍ର ନିର୍ମାଣ କରିଥିବା ବିଶ୍ବନାଥ ଥିଲେ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପରେ ଜଣେ ସେଲିବ୍ରେଟି। ତାଙ୍କ ବିୟୋଗ ଯୋଗୁଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶୋକବ୍ୟକ୍ତ କରିଥିବା କଥା ତାଙ୍କ କାର୍ଯ୍ୟଳୟର ଏକ ‘ରିଲିଜ୍‌’ରୁ ଜଣାପଡ଼ିଛି।

Leave A Reply

Your email address will not be published.