ମଦ ଦୋକାନ ଆଗରେ ବୁଲା ଗାଈ ବାନ୍ଧିଲେ ‘ବିଜେପି’ ନେତ୍ରୀ ଉମା ଭାରତୀ

ଓର୍‌ଛା: ଗୁରୁବାର ଦିନ ବରିଷ୍ଠ ‘ବିଜେପି’ ନେତ୍ରୀ ଉମା ଭାରତୀ ମଧ୍ୟପ୍ରଦେଶର ଓର୍‌ଛା ନଗରୀରେ ଥିବା ଗୋଟାଏ ମଦ ଦୋକାନ ସମ୍ମୁଖରେ ବୁଲା ଗାଈମାନଙ୍କୁ ବାନ୍ଧି ଘାସ ଖୁଆଇବା ସହିତ ଜନସାଧାରଣଙ୍କୁ କହି‌ଛନ୍ତି ଯେ, ସେମାନେ ମଦ ଛାଡ଼ି ଗାଈ ଦୁଗ୍ଧ ପାନ କରନ୍ତୁ। ସମ୍ପ୍ରତି ‘ବିଜେପି’ ଶାସିତ ରାଜ୍ୟରେ ମଦ୍ୟପାନ ବିରୋଧରେ ଅଭିଯାନ ଚଳାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ କହିଛନ୍ତି ଯେ, ସରକାର ମଦ୍ୟପାନ ଅଭ୍ୟାସରୁ ଫାଇଦା ଉଠାଇବା ଅନୁଚିତ। ମନ୍ଦିର ଓ ପ୍ରାସାଦ ପାଇଁ ପ୍ରସିଦ୍ଧ ନିୱାରି ଜିଲ୍ଲା ଅନ୍ତର୍ଗତ ଓର୍‌ଛା ନଗରୀରେ ଭାରତରେ ନିର୍ମିତ ବିଦେଶୀ ମଦ ବିକ୍ରୟ ଦୋକାନ ସମ୍ମୁଖରେ ଗାଈ ବାନ୍ଧିବା ପରେ ଭାରତୀ ‘ମଦ ନୁହେଁ ଦୁଗ୍ଧ ପିଅ’ ବୋଲି ସ୍ଲୋଗାନ୍‌ ଦେଇଥିଲେ। ସ୍ମରଣଯୋଗ୍ୟ, ଗତବର୍ଷ ଜୁନ୍ ମାସରେ ଏହି ମଦ ଦୋକାନ ଉପରକୁ ସେ ଗୋବର ଫିଙ୍ଗିଥିଲେ। ସେହିପରି, ୨୦୨୨ ମାର୍ଚରେ ସେ ଭୋପାଳସ୍ଥିତ ଏକ ମଦ ଦୋକାନ ଉପରକୁ ଟେକାପଥର ଫିଙ୍ଗିଥିଲେ। ୨୦୨୨ ଘଟଣାର ପୁନରାବୃତ୍ତି ଆଶଙ୍କା କରି ଉକ୍ତ ମଦ ଦୋକାନର ବିକ୍ରେତା ରାମପାଲ୍‌ ତୁରନ୍ତ ସଟର୍‌ ପକାଇ ଦେଇଥିଲେ। ଗଣମାଧ୍ୟମକୁ ସେ କହିଛନ୍ତି, ଗତଥର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଏହି ଦୋକାନ ଉପରକୁ ଗୋବର ଫିଙ୍ଗିଥିଲେ। ସେଥିପାଇଁ ମୁଁ ଦୋକାନର ସଟର୍‌ ପକାଇ ଦେଲି।

Leave A Reply

Your email address will not be published.