ମନ୍ତ୍ରୀଙ୍କ ଉପସ୍ଥିତିରେ କଂଗ୍ରେସ-ବିଜେଡି ହାତାହାତି

ବଲାଙ୍ଗୀର : ବଲାଙ୍ଗୀର ସହରରେ ଶୁକ୍ରବାର ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଉପସ୍ଥିତିରେ କଂଗ୍ରେସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ହାତାହାତି ହୋଇଥିଲା। ପ୍ରଥମେ କଥା କଟିକଟି ପରେ ସ୍ଥିତି ଅଣାୟତ୍ତ ହୋଇଥିଲା। ଏଥିରେ ବିଜେଡିର ଜଣେ କାଉନ୍‌ସିଲର ଆହତ ହୋଇଥିଲେ। ଶୁକ୍ରବାର ଦିନ ପ୍ରାୟ ୧୨ଟା ୨୦ରେ ସ୍ଥାନୀୟ ସଂସ୍କୃତିଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମ ଥିଲା। ଏଥିରେ ଶାସକ ଦଳର ମନ୍ତ୍ରୀ ରୋହିତ ପୂଜାରୀ, ବଲାଙ୍ଗୀରର କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ। ଉଭୟ ଦଳର ବହୁ ସଂଖ୍ୟାରେ କର୍ମୀ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପୁରୋଧା ଥିଲେ ଜିଲ୍ଲାପାଳ ଚଂଚଳ ରାଣା। ଉଦ୍‌ଘାଟନ ପରେ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାୟକ ନରସିଂହ ମିଶ୍ର ଓ ଶାସକ ଦଳର ସ୍ଥାନୀୟ କାଉନ୍‌ସିଲର୍‌ ମହେନ୍ଦ୍ର ବାଗଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବଲାଙ୍ଗୀରରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ଶ୍ରୀ ବାଗ ବିରୋଧ କରିଥିବା ବେଳେ ଶ୍ରୀ ମିଶ୍ର କହିଥିଲେ, ଜିଲ୍ଲାପାଳ କାହିଁକି ଉଚ୍ଛେଦ କରୁନାହାନ୍ତି। ତମେ ପଟ୍ଟା ବାଣ୍ଟିବାକୁ କିଏ ବୋଲି ଶ୍ରୀ ବାଗ ଓ ପୌରାଧ୍ୟକ୍ଷାଙ୍କୁ କହିଥିଲେ ଶ୍ରୀ ମିଶ୍ର। ଏହି କଥାରୁ ଉଚ୍ଚବାଚ ହୋଇଥିଲା।

Leave A Reply

Your email address will not be published.