ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ଟିଟିଲାଗଡ : ଗୋପାଳପୁର-ରାୟପୁର ୫୯ ନମ୍ୱର ଜାତୀୟ ରାଜପଥର ରହେନଭଟା ନିକଟରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ମୁରିବାହାଲ୍ ବ୍ଲକ୍‌ ପିଠାପରା ଗାଁର ସୁରେଶନ ଘିଭେଲାଙ୍କ ପୁଅ ନଟୁ ଘିଭେଲା (୨୩ବର୍ଷ) ବୋଲି ଜଣାପଡ଼ିଛି। ସୂଚନା ଅନୁସା‌ରେ, ଗୁରୁବାର ନଟୁ ବଙ୍ଗୋମୁଣ୍ଡା ବ୍ଲକ୍‌ ଗଁରେଇ ଗ୍ରାମକୁ ଏକ ପିନ୍ଧାଣି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଭୋଜିଭାତ ସରିବା ପରେ ସେ ବାଇକ୍‌ (ଓଡି ୦୩ ଏ ୨୮୪୯) ଯୋଗେ ଘରକୁ ଫେରୁଥିଲେ। ରହେନଭଟା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ର ବିଦ୍ୟୁତଖୁଣ୍ଟରେ ପିଟିହୋଇ ଚାଷ ଜମିକୁ ଛିଟିକି ପଡ଼ିଥିଲେ। ଶୁକ୍ରବାର ସକାଳେ କିଛି ଗ୍ରାମବାସୀ ଶୌଚ ପାଇଁ ଯାଉଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଦେଖି ପୁଲିସକୁ ଖବର ଦେଇଥିଲେ। ଟିଟିଲାଗଡ଼ ଥାନା ଏଏସ୍‌ଆଇ କପୁରଚନ୍ଦ ପ୍ରଧାନ ଓ କାର୍ତ୍ତିକ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ନଟୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ। କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲଳା। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଏଏସ୍‌ଆଇ କାର୍ତ୍ତିକ ପ୍ରଧାନ ଜଣାଇଛନ୍ତି।

Leave A Reply

Your email address will not be published.