ବ୍ରିଟେନ୍‌ରେ ପରିବା କ୍ରୟ ଉପରେ ପ୍ରତିବନ୍ଧକ

ବ୍ରିଟେନର ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହାରି ଭିତରେ ଦେଶରେ ବର୍ତ୍ତମାନ ଗୁରୁତର ଖାଦ୍ୟ ସଙ୍କଟ ଦେଖାଦେଇଛି, ଯେଉଁ କାରଣରୁ ଫଳ ଏବଂ ପନିପରିବାର ରାସନିଂ ଆରମ୍ଭ ହୋଇଛି। ବ୍ରିଟେନର ଦୁଇ ସର୍ବବୃହତ ସୁପରମାର୍କେଟ୍‌ ‘ମୋରିସନ୍’ ଏବଂ ‘ଏସ୍‌ଡା’ ଏହି ରାସନିଂକୁ ଲାଗୁ କରିଛନ୍ତି, ଯାହା ଅଧୀନରେ ଟମାଟୋ, ଆଳୁ, କାକୁଡି, ଲଙ୍କା ଓ ବ୍ରୋକଲି ଭଳି ଜଲ୍‌ଦି ନଷ୍ଟ ହୋଇଯାଉଥିବା ଜିନିଷ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ଏଣିକି ପ୍ରତ୍ୟେକ ଗ୍ରାହକ ଏଥି ମଧ୍ୟରୁ କେବଳ ଦୁଇ କିମ୍ବା ତିନୋଟି ଜିନିଷ କିଣିପାରିବେ, ଏହାଠାରୁ ଅଧିକ କିଣିପାରିବେ ନାହିଁ। ଦକ୍ଷିଣ ୟୁରୋପ ଏବଂ ଉତ୍ତର ଆଫ୍ରିକାରେ ସୁପରମାର୍କେଟ୍‌ର ଯୋଗାଣ ବ୍ୟାହତ ହେବା ପରେ ବ୍ରିଟେନ ପନିପରିବା, ଖାସ୍‌କରି ଟମାଟୋ ଅଭାବର ସମ୍ମୁଖୀନ ହେଉଛି। ଏହି କାରଣରୁ ଦୁଇ ପ୍ରମୁଖ ଗ୍ରୋସର୍ସ ଗ୍ରାହକଙ୍କ କ୍ରୟ ଉପରେ ଲିମିଟ୍‌ ଲଗାଇଛନ୍ତି। ବ୍ରିଟେନର ତୃତୀୟ ବୃହତ୍ତମ ଗ୍ରୋସରୀ କମ୍ପାନୀ ଏସ୍‌ଡା କହିଛି ଯେ ଟମାଟୋ, ଲଙ୍କା, କାକୁଡି, ଲେଟସ୍‌, ବ୍ରୋକଲି, ଫୁଲକୋବି ଓ ରସଭରୀର କ୍ରୟ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଏସ୍‌ଡା ପ୍ରବକ୍ତା କହିଛନ୍ତି ଯେ ଅନ୍ୟ ସୁପରମାର୍କେଟ୍‌ ଭଳି ଆମେ ଦକ୍ଷିଣ ସ୍ପେନ ଏବଂ ଉତ୍ତର ଆଫ୍ରିକାରେ ଉତ୍ପାଦିତ କିଛି ଉତ୍ପାଦ ଉପରେ ସୋର୍ସିଂ ଚ୍ୟାଲେଞ୍ଜର ସାମ୍ନା କରୁଛୁ। ସେପଟେ ଏହାର ପ୍ରତିଦ୍ୱନ୍ଦ୍ୱୀ ମୋରିସନ୍ କହିଛି କି, ବୁଧବାରଠାରୁ ଟମାଟୋ, କାକୁଡି ଓ ଲଙ୍କା ଉପରେ ପ୍ରତିବନ୍ଧକ ଲଗାଯିବ। କମ୍ପାନୀ କହିଛି ଯେ ଦକ୍ଷିଣ ୟୁରୋପ ଏବଂ ଉତ୍ତର ଆଫ୍ରିକାରେ ଖରାପ ପାଗ ଅନେକ ଫସଲ ଅମଳ ଉପରେ ପ୍ରଭାବ ପକାଇଛି। ସୋସିଆଲ ମିଡିଆରେ ମଧ୍ୟ ବ୍ରିଟେନର ସୁପରମାର୍କେଟ୍‌ରେ ଖାଲି ପଡ଼ିଥିବା ପନିପରିବା ଥାକର ଫଟୋ ସେୟାର କରାଯାଉଛି।

Leave A Reply

Your email address will not be published.