ଜାପାନର ସମୁଦ୍ର ତଟରେ ରହସ୍ୟମୟ ବିଶାଳ ଲୁହା ବଲ୍‌! ଜନସାଧାରଣଙ୍କୁ ସି-ବିଚ୍‌ ମନା; ଆଲର୍ଟ ଜାରି କଲେ ସରକାର

ଜାପାନ : ଜାପାନର ସମୁଦ୍ର କୂଳରେ ଏକ ବିଶାଳକାୟ ଗୋଲାକାର ବସ୍ତୁ ଦେଖିବାକୁ ମିଳିଛି। ଏହି ବଲ୍‌ ଦେଖି ଜାପାନ ସରକାର ସତର୍କ ହୋଇଯାଇଛନ୍ତି। ଏହାକୁ ଯାଞ୍ଚ କରିବା ପାଇଁ ଜାପାନୀ ସେନା ଏବଂ ତଟରକ୍ଷୀ ବାହିନୀଙ୍କୁ ପଠାଯାଇଛି। ଜାପାନର ନ୍ୟୁଜ୍ ଚ୍ୟାନେଲ୍ FNN ମୁତାବକ, ୧.୫ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଏହି ଗୋଲାକାର ବସ୍ତୁ ଲୁହାରେ ତିଆରି ହୋଇଥିବା ଅନୁମାନ କରାଯାଉଛି ଏବଂ ଏହାର ଉଭୟ ପାର୍ଶ୍ୱରେ ଧାତୁର ୨ ହୁକ୍‌ ଲାଗିଛି। ଜାପାନର ସିଜୁଓକା ପ୍ରାନ୍ତର ହମାମାତ୍ସୁ ସହରରେ ଏହି ରହସ୍ୟମୟ ଧାତୁ ବଲ ସମୁଦ୍ର କୂଳରେ ରହିଛି। ଏହି ବଲ୍ ଏତେ ଅଦ୍ଭୁତ ଯେ ସହରର ଏନସୁହାମା ସି-ବିଚ୍‌କୁ ଲୋକଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ବଲକୁ ଯାଞ୍ଚ କରିବା ପାଇଁ ଜାପାନୀ ସେଲ୍ଫ ଡିଫେନ୍ସ ଫୋର୍ସର ବୋମା ନିଷ୍କ୍ରିୟକାରୀ ଦଳକୁ ସେଠାରେ ନିୟୋଜିତ କରାଯାଇଛି। ଯଦିଓ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ ଯେ ଏହି ଅଜଣା ବସ୍ତୁଟି କ’ଣ। ତେବେ ଏହା ସମୁଦ୍ର ଖଣି ପରି ଦେଖାଯାଉଛି, କିନ୍ତୁ ଏହାର ଆକାର ସାଧାରଣ ଅପେକ୍ଷା ବହୁତ ବଡ଼ ରହିଛି। ଜାପାନ ଗଣମାଧ୍ୟମ ଅନୁସାରେ, ଟୋକିଓଠାରୁ ପ୍ରାୟ ୧୫୫ କିଲୋମିଟର ଦୂର ଦକ୍ଷିଣ ଉପକୂଳବର୍ତ୍ତୀ ସହର ହମାମାତ୍ସୁରେ ପ୍ରଥମେ ଜଣେ ବ୍ୟକ୍ତି ଏହା ଦେଖିବାକୁ ପାଇଥିଲେ ଏବଂ ସକାଳ ୯ଟାରେ ସେ ପୋଲିସକୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ବ୍ୟକ୍ତି ଜଣକ କହିଥିଲେ ଯେ ସମୁଦ୍ର କୂଳରେ ଏକ ବଡ଼ ଗୋଲାକାର ବସ୍ତୁ ରହିଛି। ଯଦିଓ ବିଶେଷଜ୍ଞମାନଙ୍କ ଦ୍ୱାରା ଏକ୍ସ-ରେ ଟେକ୍ନୋଲୋଜି ବ୍ୟବହାର ପରେ ବସ୍ତୁର ଭିତର ପାର୍ଶ୍ୱ ଯାଞ୍ଚ କରାଯିବାକୁ ମନା କରାଯାଇଥିଲା ଏବଂ ଏହା ଭିତର ଫମ୍ପା ବୋଲି ଜଣାପଡ଼ିଥିଲା। ଗୋଲାକାର ବସ୍ତୁ ମିଳିବା ପରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ସମୁଦ୍ର କୂଳରେ ଜନସାଧାରଣଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲା। ଅଞ୍ଚଳକୁ ପୋଲିସ, ସୁରକ୍ଷା ଗାର୍ଡ ଏବଂ ଉପକୂଳ ରକ୍ଷୀମାନେ ଘେରି ରହିଥିଲେ। ପରେ ଅପରାହ୍ନ ୪ଟାରେ ପ୍ରତିବନ୍ଧକ ହଟିଥିଲା।

Leave A Reply

Your email address will not be published.