ଚିନ୍ତା ବଢ଼ାଉଛନ୍ତି ହଜାର ସଂଖ୍ଯକ ମାଙ୍କଡ ପଲ, ଗାଁ ରେ ପଶି କରୁଛନ୍ତି ଉପଦ୍ରବ

ଭଞ୍ଜନଗର : ଚିନ୍ତା ବଢ଼ାଉଛନ୍ତି ମାଙ୍କଡ଼ ପଲ । ଗୋଟିଏ କି’ ଦୁଇଟି ନୁହେଁ । ହଜାର ସଂଖ୍ଯକ ମାଙ୍କଡ ଗାଁ ରେ ପଶି କରୁଛନ୍ତି ଉପଦ୍ରବ। କ୍ଷେତରେ ପଶି ଖାଉଛନ୍ତି ଫସଲ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି , ଚାଷୀମାନେ ଏବେ ଚିନ୍ତାରେ । ଦିନ ତମାମ ହିଡରେ ଠିଆହୋଇ ପାଟିକରି ଘଉଡାଇବାରେ ବ୍ଯସ୍ତ ସଭିଏଁ । ଏପଟେ କ୍ଷେତରେ ରହିଛି ପାଳଭୂତ । ତଥାପି ମାଙ୍କଡଙ୍କ ଖାତିରି ନାହିଁ । କେତେବେଳେ ଗାଁ ଭିତରେ ପଶି ଉପଦ୍ରବ କରୁଛନ୍ତି ତ’ , ଆଉ କେତେବେଳେ କ୍ଷେତରେ ପଶି ଫସଲ ଖାଇ ଯାଉଛନ୍ତି । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଗାଁ ରେ ଦେଖିବାକୁ ମିଳୁଛି ଏଭଳି ଘଟଣା। ମାଙ୍କଡ ପଲ ଦଳଦଳ ହୋଇ ଚଳାଇଛନ୍ତି ଉପଦ୍ରବ । ଆସିକା ବ୍ଳକର କେନ୍ଦୁପଦର , ବେଲଗୁଣ୍ଠା ବ୍ଳକର ମନ୍ଦାର , ଇଙ୍ଗିନାଠି , କରାଗାଡିଆ, ମାଧବରିଡା ଭଳି ଆଖପାଖ ଅଧିକାଂଶ ଗାଁ ମାନଙ୍କରେ ପ୍ରାୟତଃ ଦେଖିବାକୁ ମିଳୁଛି ଏହି ମାଙ୍କଡ ପଲଙ୍କ ଉପଦ୍ରବ। ମୁଗ , ବିରି ଫସଲ ଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା କ୍ଷେତରେ ପଶି , ସବୁ ଖାଇ ଯାଉଛନ୍ତି ମାଙ୍କଡ ପଲ । ଅମଳ ସମୟରେ ସବୁ ଫସଲ ମାଙ୍କଡ ଦ୍ଵାରା ନଷ୍ଟ ହେଉଥିବାରୁ ଚିନ୍ତାରେ ପଡ଼ିଛନ୍ତି , ଚାଷୀ । ଏନେଇ କେନ୍ଦୁପଦର ଅଞ୍ଚଳର ଚାଷୀ ମାନେ , ଗଂଜାମ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.