ନବ ଦାସଙ୍କ ହତ୍ୟାକୁ ପୂରିଲା ମାସେ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତେଜିଲାଣି କସରତ, ଝିଅ ଦୀପାଳିଙ୍କୁ ମିଳିପାରେ ଟିକେଟ !
ଝାରସୁଗୁଡ଼ା: ନବ ଦାସଙ୍କ ହତ୍ୟାକୁ ପୂରିଛି ମାସେ । ଝାରସୁଗୁଡ଼ାରେ ହେବ ଉପନିର୍ବାଚନ । ଆସନ୍ତା ୨-୩ ଦିନ ଭିତରେ ଉପନିର୍ବାଚନ ନେଇ ବିଜ୍ଞପ୍ତି ବାହାରିପାରେ । ତାରିଖ ଘୋଷଣାକୁ ଅପେକ୍ଷା ରହିଥିବା ବେଳେ ପ୍ରାର୍ଥୀ କସରତ ତେଜିଲାଣି । ଝାରସୁଗୁଡ଼ା ଉପନିର୍ବାଚନରେ ଦେଖିବାକୁ ମିଳିପାରେ ଦୁଇ ନବାଗତଙ୍କ ମଧ୍ୟରେ ଲଢ଼େଇ । ନବ ଦାସଙ୍କ ଝିଅ ଦୀପାଳିଙ୍କୁ ବିଜେଡିରୁ ମିଳିପାରେ ଟିକଟ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଝାରସୁଗୁଡ଼ାରେ ଏବେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଝିଅ ଦୀପାଳି ଦାସ । ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ପାଇଁ ପ୍ରଚାର କରିଥିଲେ ଦୀପାଳି । ନବ ଦାସଙ୍କ ସହ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଏବେ ଲୋକଙ୍କ ସହ ଅଧିକରୁ ଅଧିକ ଯୋଡ଼ି ହେଉଛନ୍ତି ଦୀପାଳି ଦାସ । ସେହିପରି ବିଜେପି ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କୁ ବିଜେପିରୁ ଠିଆ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଟଙ୍କଧର ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଅଛନ୍ତି । ଝାରସୁଗୁଡ଼ାର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଛି । ଲୋକଙ୍କ ସହ ଯୋଡ଼ି ହେଉଛନ୍ତି ଟଙ୍କଧର । ସେପଟେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତା ଉପରେ ନଜର ରହିଛି ।ଏପ୍ରିଲରେ ହୋଇପାରେ ଉପନିର୍ବାଚନ । ନିର୍ବାଚନ ପ୍ରକ୍ରିୟା ଦୁଇ ମାସ ଲାଗିବ । ପଦ୍ମପୁର ଉପନିର୍ବାଚନକୁ ଦେଖିଲେ ଏମିତି ଅନୁମାନ ଲଗାଯାଉଛି । ବିଜୟ ରଞ୍ଜନ ସିଂ ବରିହାଙ୍କର ଗତବର୍ଷ ଅକ୍ଟୋବର ୩ ତାରିଖରେ ଦେହାନ୍ତ ହୋଇଥିଲା । ଏହାପରେ ଖାଲି ପଡ଼ିଥିବା ପଦ୍ମପୁର ଆସନ । ମୃତ୍ୟୁ ଦୁଇ ଦିନ ପରେ ଏନେଇ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଥିଲା । ଏହାପରେ ନଭେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ନେଇ ବାହାରିଥିଲା ବିଧିବଦ୍ଧ ବିଜ୍ଞପ୍ତି । ଅର୍ଥାତ ବିଜୟ ବରିହାଙ୍କ ମୃତ୍ୟୁର ମାସେ ପରେ ନୋଟିଫିକେସନ୍ ବାହାରିଥିଲା । ଏହାପରେ ଡିସେମ୍ବର ୩ ତାରିଖରେ ପଡ଼ିଥିଲା ଭୋଟ୍ । ୮ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା । ପଦ୍ମପୁର ଉପନିର୍ବାଚନ ପ୍ରକ୍ରିୟାକୁ ଦେଖିଲେ ଝାରସୁଗୁଡ଼ାରେ ଏପ୍ରିଲରେ ଭୋଟ୍ ପଡ଼ିପାରେ ।