ଚଳିତ ବିଧାନସଭା ଅଧିବେଶନରେ ଆସିବ ଓଡିଶା ଆପାର୍ଟମେଣ୍ଟ ଓନରସିପ ଆଇନ, ହାଇକୋର୍ଟଙ୍କୁ ଅବଗତ କଲେ ରାଜ୍ୟସରକାର

କଟକ: ଆପାର୍ଟମେଣ୍ଟ ନିୟମାବଳୀର ବୈଧତାକୁ ଚାଲେଞ୍ଜ ପ୍ରସଙ୍ଗରେ ସଂଶୋଧିତ ଓଡିଶା ଆପାର୍ଟମେଣ୍ଟ ଓନରସିପ ଆଇନ ଚଳିତ ବିଧାନସଭା ଅଧିବେଶନରେ ଆସିବ ବୋଲି ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଏହା ସହିତ ଆଇଜିଆର ଓ ଖଣ୍ଡଗିରି ସଵରେଜିଷ୍ଟ୍ରାରଙ୍କ ବିରୋଧରେ ଦାୟର ଅଦାଲତ ଅବମାନନା ମାମଲାକୁ ଗ୍ରହଣ କରି ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ରେଜିଷ୍ଟ୍ରେସନ କରାଯାଇ ଥିବା ଅଭିଯୋଗ ହୋଇଛି। ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ସମୟରେ ଆଇଜିଆର ଓ ଖଣ୍ଡଗିରି ସଵରେଜିଷ୍ଟ୍ରାର ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨୨ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି। ତେବେ ସଂଶୋଧିତ ଆଇନ ନଆସିବା ପର୍ଯ୍ୟନ୍ତ ଫ୍ଲାଟ କିଣାବିକା କ୍ଷେତ୍ରରେ ପୂର୍ବରୁ ରହିଥିବା ରହିତାଦେଶ ବଳବତ୍ତର ରହିବ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ର ବୈଧତାକୁ ଚାଲେଞ୍ଜ କରି ଏସ୍‌. ମିଶ୍ର ଓ ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଦାୟର ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି। ୧୯୮୨ରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ପ୍ରଣୟନ ହୋଇଥିବା ବେଳେ ୨୦୧୫ରେ ଏଥିରେ ସଂଶୋଧନ କରାଯାଇଥିଲା। ଏହାପରେ ୨୦୧୬ରେ ରିଅଲ୍‌ ଇଷ୍ଟେଟ୍‌ କାରବାରକୁ ସୁବ୍ୟବସ୍ଥିତ କରିବା ପାଇଁ ରେରା ଆଇନ କାର୍ଯ୍ୟକାରୀ କରାଯାଇଥିଲା। ରେରା ଆଇନ ଅନୁସାରେ କୌଣସି ଆପର୍ଟମେଣ୍ଟରେ ଫ୍ଲାଟ କିଣୁଥିବା ବ୍ୟକ୍ତିମାନେ ବୁକିଂ ପରେ ଆସୋସିଏସନ୍ ଗଠନ କରିପାରିବେ। ଏହାର ଅର୍ଥ ଆପର୍ଟମେଣ୍ଟ କ୍ରୟ ସଂପର୍କିତ ଦଲିଲ କାର୍ଯ୍ୟକାରୀ ପୂର୍ବରୁ ଏପରି ଆସୋସିଏସନ୍ କରି ହେବ। ଯଦି ଫ୍ଲାଟ୍‌ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ବା ଚୁକ୍ତି ଉଲ୍ଲଂଘନ ହୁଏ; ତେବେ ଏପରି ଆସୋସିଏସନ୍ ରେରା ଆଇନ ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ।

Leave A Reply

Your email address will not be published.