ପୁରୀ: ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ୧୦ ଘଣ୍ଟା ପରେ ବି ଅଣାୟତ୍ତ, ଫସି ରହିଥିବା ପର୍ଯ୍ୟଟକ ଉଦ୍ଧାର

ପୁରୀ: ଟାଉନ୍‌ ଥାନା ଅନ୍ତର୍ଗତ ମରିଚିକୋଟ ଛକ ନିକଟ ଲକ୍ଷ୍ମୀବଜାରରେ ଥିବା ସମ୍ରାଟ ମାର୍କେଟ କ‌ମ୍ପ୍ଲେକ୍ସରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ଲାଗିଥିବା ନିଆଁକୁ ସଂପୂର୍ଣ୍ଣ ରୂପେ ଆୟତ୍ତ କରାଯାଇ ପାରିନାହିଁ। ଘଟଣାର ୧୦ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ ରହିଥିବା ଜଣାପଡ଼ିଛି। ଗତକାଲିଠାରୁ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଏହି ଘଟଣାରେ କେହି ଗୁରୁତର ମୃତାହତ ହୋଇଥିବା ସୂଚନା ମିଳିନାହିଁ। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମିଳିଥିବ‌ା ଖବର ଅନୁସାରେ,  ନିଆଁ ଲାଗିଥିବା ମାର୍କେଟ କମ୍ପ୍ଲେକ୍ସରେ ପ୍ରବଳ ଧୂଆଁ ବାହାରୁଥିବାରୁ କେତେକ ଅଗ୍ନିଶମ କର୍ମଚାରୀ ଅଣନିଶ୍ବାସୀ ହୋଇପଡିବା ସହ ନିଆଁ ଲାଭାଇବାରେ ବିଳମ୍ବ ହୋଇଥିଲା। ଏଥିସହିତ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ସମ୍ରାଟ ଗେଷ୍ଟ ହାଉସରେ ଫସି ରହିଥିବା ୩ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗର ୬ଟି ଗାଡି ଦୀର୍ଘ ସମୟ ଧରି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଭୁବନେଶ୍ବର, ଖୋର୍ଦ୍ଧା ଓ ସାକ୍ଷୀଗୋପାଳରୁ ଅଗ୍ନିଶମ ଟିମ ଆସି ନିଆଁଲିଭାଇବାରେ ଲାଗିପଡିଥିଲେ। ମାର୍କେଟ ପରିସରରେ ନିଆଁ ଲାଗିବା କାରଣରୁ ଅନେକଗୁଡ଼ିଏ ଦୋକାନର କ୍ଷତି ହୋଇଛି।

Leave A Reply

Your email address will not be published.