ବେଧଡକ ଭାବେ ଚାଲିଛି ବେଆଇନ ଇଟା ଭାଟି; ନଷ୍ଟ ହେଉଛି ନଦୀ ପଠା, ସଂକଟରେ ପରିବେଶ

ସେମିଳିଗୁଡା/ସୁନାବେଡା : ବେଧଡକ ବଢିଚାଲିଛି ଇଟା ଭାଟି। ଏଥିଯୋଗୁ ପରିବେଶ ନଷ୍ଟ ହେବା ସହ ପାଖ ନଦୀ ପଠାରୁ ବ୍ୟାପକ ମାଟି ଖୋଳା ଚାଲିଛି। ଯାହାକୁ ନେଇ ସାଧାରଣରେ ମଧ୍ୟ ଅସନ୍ତୋଷ ବଢିବାରେ ଲାଗିଛି। କୋରାପୁଟ ଜିଲ୍ଲା ସେମିଳିଗୁଡା ଓ ସୁନାବେଡା ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ପରିବେଶ ସୁରକ୍ଷା ପାଇଁ ନିର୍ମାଣ କାର୍ଯ୍ୟରେ ମାଟି ତିଆରି ଇଟା ବ୍ୟବହାର ଉପରେ ୨୦୧୯ରୁ ସରକାରୀ ସ୍ତରରେ ପ୍ରତିବନ୍ଧକ ଲାଗୁ ହୋଇଥିଲେ ହେଁ ବ୍ୟବସାୟୀ ଏହାକୁ ଭ୍ରୁକ୍ଷେପ କରିଚାଲିଛନ୍ତି। ବେଧଡ଼କ ଇଟା ପୋଡା ଚାଲିଛି।ସେମିଳିଗୁଡା କୋରାପୁଟ ଜିଲ୍ଲାର ଏକ ପ୍ରମୁଖ ସହର। ଦିନକୁ ଦିନ ଏହାର ପରିସୀମା ବୃଦ୍ଧି ପାଇବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ସହ ତାଳଦେଇ ଗୃହ ନିର୍ମାଣ ବଢିବାରେ ଲାଗିଛି। ସେମିଳିଗୁଡାରେ ପ୍ରତିଦିନ ପ୍ରାୟ ୫୦ ହଜାରରୁ ଅଧିକ ଇଟା ଆବଶ୍ୟକ ପଡୁଛି। ଯାହାର ଫାଇଦା ନେଉଛନ୍ତି ବେଆଇନ ମାଟି ଇଟା ବେପାରୀ। ସେମିଳିଗୁଡା ଓ ସୁନାବେଡା ଅଞ୍ଚଳରେ ଏକାଧିକ ବେଆଇନ ଇଟା ଭାଟି ଚାଲୁଥିବା ବେଳେ ପ୍ରତିଦିନ ଲକ୍ଷଲକ୍ଷ ଇଟା ପୋଡ଼ାଯାଉଛି। ଏହି ଇଟା ସବୁ ସେମିଲିଗୁଡା ସମେତ ନନ୍ଦପୁର, ଦାମନଯୋଡି ଓ ପଟାଙ୍ଗୀ ଅଞ୍ଚଳରେ ବିକ୍ରୟ ହେଉଛି। ସେମିଳିଗୁଡାର ମାନିଆ, ଜାନିଗୁଡା, ସୁନାବେଡାର ମାଲିଗୁଡା, ଦାମନଯୋଡି ଇଣ୍ଟେକ ରାସ୍ତା ଆଦି ଅଞ୍ଚଳରେ ଭାଟିଗୁଡିକ ରହିଛି। ଶୁଖିଲା ନଦୀ ଶଯ୍ୟା ଓ ପଠାରୁ ମାଟି ଖୋଲାଯାଇ ଇଟା ତିଆରି କରାଯାଉଛି। ଚଷୁ ସାହାଯ୍ୟରେ ଭାଟିରେ ପୋଡିବା ଯୋଗୁ ପରିବେଶ ମଧ୍ୟ ବିଗିଡିବାରେ ଲାଗିଛି। ବାୟୁ ପ୍ରଦୂଷଣ ‌ହେବା ସହ ଭାଟି ମାଲିକ ମାଲାମାଲ ହେଉଛନ୍ତି। ଏଣେ ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.