ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଦିନତମାମ ଧାଁ, ଦୌଡ଼

ବାହାନଗା ରେଳ ଦୁର୍ଘଟଣାକୁ ୪୮ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତିଗଲାଣି। କିନ୍ତୁ ଏବେ ବି ବହୁ ଶବ ପରିଚୟ ଅପେକ୍ଷା‌‌ରେ ରହିଛନ୍ତି। ଶବଗୁଡ଼ିକୁ ସୁରକ୍ଷିତ ଭାବେ ସେମାନଙ୍କ ପରିବାର ଓ ସଂପର୍କୀୟଙ୍କୁ ହସ୍ତାନ୍ତର କରିବା ପାଇଁ ୧୫୦ରୁ ଊର୍ଦ୍ଧ୍ବ ଶବ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲ‌ ଶବାଗୃହରେ ରଖାଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅଧିକାଂଶ ଆହତଙ୍କୁ ଏଠାରେ ଚିକିତ୍ସା କରାଯାଉଛି। ତେଣୁ ଏହି ଘଟଣା ଉପରେ ଥିବା ପୂରା ବିଶ୍ବର ନଜର ଆଜି ବାହାନଗାରୁ ହଟି ଭୁବନେଶ୍ବର ଉପରେ ରହିଥିଲା। ଶବ ସ୍ଥାନାନ୍ତର, ଚିହ୍ନଟଠାରୁ ଆରମ୍ଭ କରି ଆତ୍ମୀୟ ସ୍ବଜନଙ୍କ ଗହଳି, ଆହତଙ୍କ ଚିକିତ୍ସା ସେବା ସମୀକ୍ଷା ପାଇଁ ନେତା-ମନ୍ତ୍ରୀଙ୍କ ଗସ୍ତ, ସମ୍ପର୍କୀୟଙ୍କୁ ସମସ୍ତ ସୂଚନା ଯୋଗାଇଦେବା ଓ ମେଡିକାଲ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବିଏମ୍‌ସିର ତତ୍ପରତା ଆଜି ଦିନତମାମ ରାଜଧାନୀରେ ଦେଖିବାକୁ ମିଳିଥିଲା। ରେଳ ଦୁର୍ଘଟଣା ସଂପର୍କରେ ରେଳମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଉପରେ ମଧ୍ୟ ସମସ୍ତଙ୍କର ଆଖି ରହିଥିଲା। ସବୁଠାରୁ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ଶବ ସଂରକ୍ଷଣ ଗୃହରେ। କାନ୍ଦବୋବାଳିରେ ଫାଟି ପଡ଼ିଥିଲା ହସ୍ପିଟାଲ ପରିସର। ଏଣେ ଫସି ରହିଥିବା ଲୋକଙ୍କୁ ମାଗଣାରେ କୋଲକାତା ପଠାଇବାକୁ ସରକାର ଘୋଷଣା କରିବା ପରେ ଏହାକୁ ଶୃଙ୍ଖଳିତ କରିବା ପାଇଁ ରାସ୍ତାର ବିଭିନ୍ନ ଜାଗାରେ ପରିବହନ ବିଭାଗର ଅଧିକାରୀମାନେ ଛିଡ଼ା ହେବା ସହ ବସ୍‌ରେ ଚଢ଼ଉ ଜାରି ରଖିଥିଲେ।

Leave A Reply

Your email address will not be published.