ଭୁବନେଶ୍ବର: ଘର, ଭାଷା, ବେଶଭୂଷା, ରାଜ୍ୟ ଅଲଗା ଅଲଗା। କିନ୍ତୁ ଗୋଟିଏ ସମାନତା; ସେମାନେ ପ୍ରବାସୀ ଶ୍ରମିକ। ବୟସ ୨୦ରୁ ୪୫ ଭିତରେ। ପରିବାରର ପେଟ ପୋଷିବା ପାଇଁ ଚେନ୍ନାଇ ଯାଉଥିଲେ। କିଏ ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିରେ ତ କିଏ ହୋଟେଲ ତ ଆଉ କିଏ ନିର୍ମାଣ ସଂସ୍ଥାରେ କାମ କରିବାକୁ ଯାଉଥିଲେ। ବାହାନଗା ଟ୍ରେନ୍ ଦୁର୍ଘଟଣାର ଅଧିକାଂଶ ମୃତକ ଆର୍ଥିକ ଓ ସାମାଜିକ ଭାବେ ଦୁର୍ବଳ ଏବଂ ଅସଙ୍ଗଠିତ ବର୍ଗର ହୋଇଥିବାରୁ ତାଙ୍କ ମୃତ୍ୟୁଜନିତ ଆକ୍ରୋଶ ରେଳ ମନ୍ତ୍ରଣାଳୟକୁ ସମ୍ମୁଖୀନ ହେବାକୁ ପଡ଼ିନାହିଁ। ବହୁ ସାମାଜିକ କର୍ମକର୍ତ୍ତା ଏପରି ମତ ଦେଇଛନ୍ତି। ସେମାନେ ଦାବି କରିଛନ୍ତି ଯେ ରେଳ ମନ୍ତ୍ରାଳୟ ଗୋଟିଏ ଥର କିଛି କ୍ଷତିପୂରଣ ରାଶି ଦେଇଦେଲେ, ମୃତକ ଓ ଆହତଙ୍କ ପରିବାରର ଦୁଃଖ ଯିବନି। ରୋଜଗାରିଆ ସଦସ୍ୟକୁ ହରାଇଥିବା ସେଭଳି ପରିବାର ପାଇଁ ରୋଜଗାରର ବ୍ୟବସ୍ଥା ସରକାରଙ୍କୁ କରିବାକୁ ପଡ଼ିବ ବୋଲି ସେମାନେ ଦାବି କରିଛନ୍ତି। ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ୨୧ ବର୍ଷୀୟ ରାଜୀବ ଡାକୁଆ, ନନ୍ଦିଗ୍ରାମର ୨୦ ବର୍ଷୀୟ ସେଖ୍ ସାହିଦ ଆଲମ ଓ ବିହାର ମୁଜାଫରପୁରର ୨୩ ବର୍ଷୀୟ କୁନ୍ଦନ କୁମାର। ରେଳ ଦୁର୍ଘଟଣାର ମୃତକଙ୍କ ଶରୀର ଏମ୍ସକୁ ଆସିବା ପରେ ଯେଉଁ କିଛି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପ୍ରଥମ ଦିନରେ ଘରକୁ ପଠାଯାଇଥିଲା, ସେମାନଙ୍କ ମଧ୍ୟରୁ ଏହି ତିନି ଜଣ ଅନ୍ୟତମ। ସେଖ୍ଙ୍କ ୫ ମାସର ଝିଅ ଓ କୁନ୍ଦନଙ୍କ ବର୍ଷକର ପୁଅ ଏବେ ବାପ-ଛେଉଣ୍ଡ। ନବବିବାହିତା ସ୍ତ୍ରୀଦ୍ବୟ ସଂସାର କ’ଣ ଜାଣିବା ଆଗରୁ ସ୍ବାମୀ ଆରପାରିକୁ ଚାଲିଗଲେ। ସେହିପରି ରାଜୀବଙ୍କୁ ହରାଇ ତାଙ୍କ ବାପା-ମା’ ପାଗଳପ୍ରାୟ। ଆଜି ବି ପୁଅ ମନୋଜ କୁମାରଙ୍କୁ ଖୋଜୁଥିବା ବିହାର ସୀତାମାଢ଼ିର ବିଶ୍ବନାଥ ସାହାଣୀ କହନ୍ତି, ସେମାନେ ଭୂମିହୀନ ପରିବାରର। ତେଣୁ ୩ବର୍ଷ ହେଲା ତାଙ୍କ ପୁଅ ଚେନ୍ନାଇରେ ବ୍ୟାଗ୍ ତିଆରି କାମ କରି ପରିବାର ଚଳାଉଥିଲେ। ଗତ ଛୁଟିରେ ସେ ଘରକୁ ଆସି ଫେରୁଥିଲା। ଏମାନେ ସମସ୍ତେ ଭିନ୍ନ ସ୍ଥାନରୁ ବାହାରି ଭିନ୍ନ ବଗିରେ ନିଜ ସାଥୀମାନଙ୍କ ସହ ଶ୍ରମିକ ଭାବରେ କାର୍ଯ୍ୟ କରିବା ପାଇଁ ଚେନ୍ନାଇ ଯାଉଥିଲେ।