ଉଜ୍ଜ୍ୱଳା ଯୋଜନା ଏବେ ଅନ୍ଧାରୀ ଯୋଜନା: ବିଜେଡି

ଭୁବନେଶ୍ବର: ବିଜେଡି ସରକାର ଗତ ୨୩ ବର୍ଷ ହେଲା ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରୁଛି। କିନ୍ତୁ ରାଜ୍ୟ ବିଜେପି ନେତାମାନେ ଗତ ନଅ ବର୍ଷ ଧରି ଦିଲ୍ଲୀରେ ଓଡ଼ିଶାର ବିକାଶ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ତିନି ମୁଖପାତ୍ର ସୁଲତା ଦେଓ, ଗୌତମବୁଦ୍ଧ ଦାସ ଓ ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି ଯେ ବିଜେପି ଷଡ଼ଯନ୍ତ୍ରର ସବୁଠାରୁ ବଡ଼ ଉଦାହରଣ ହେଉଛି ଉଜ୍ଜ୍ବଳା ଯୋଜନା। ଏହି ଯୋଜନାରେ ଓଡ଼ିଶାର ମହିଳାମାନଙ୍କୁ ମାଗଣା ସିଲିଣ୍ଡର ଯୋଗାଇ ସାହାଯ୍ୟ କରାଯିବ ବୋଲି ପ୍ରଚାର ହେଲା। ଆଜି ଉଜ୍ଜ୍ବଳା ଅନ୍ଧାର ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏହା ଏକ ନିଷ୍ଠୁର ପରିହାସ। ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ବଢୁଛି, ରିଫିଲ ପରିମାଣ ହ୍ରାସ ପାଉଛି ଏବଂ ଓଡ଼ିଶାର ମହିଳାଙ୍କ ଦ୍ୱାରା ଏହାର ବ୍ୟବହାର ହ୍ରାସ ପାଉଛି। ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଇନ୍ଧନ ଓ ଅତ୍ୟାବଶ୍ୟକ ସାମଗ୍ରୀର କ୍ରମାଗତ ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି। ଯଦିଓ ବିଜେଡି ଏହା ବିରୋଧରେ ସ୍ୱର ଉତ୍ତୋଳନ କରୁଛି, କିନ୍ତୁ ଓଡ଼ିଶାର ବିଜେପି ନେତାମାନେ ନିରବ ରହିଛନ୍ତି। ଓଡ଼ିଶା ବିରୋଧୀ ଷଡ଼ଯନ୍ତ୍ରର ଦ୍ୱିତୀୟ ଉଦାହରଣ ହେଉଛି, ରାଜ୍ୟରେ ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ ଅବସ୍ଥା। ଗତ ନଅ ବର୍ଷ ଧରି ସମ୍ବଲପୁର-କଟକ ଜାତୀୟ ରାଜପଥ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ରାଜପଥ ପ୍ରକଳ୍ପର କାର୍ଯ୍ୟ ସରୁ ନଥିବାରୁ ଶହ ଶହ ଦୁର୍ଘଟଣା ଘଟୁଛି। ସେହିଭଳି ଆଉ ଦୁଇଟି ବଡ଼ ଷଡ଼ଯନ୍ତ୍ର ହେଉଛି ଓଡ଼ିଶାରେ ଟେଲିକମ୍ ଓ ବ୍ୟାଙ୍କିଙ୍ଗ୍ ସେବା ଅତ୍ୟନ୍ତ ଖରାପ। ବ୍ୟାଙ୍କିଙ୍ଗ ସଂଯୋଗର ଅଭାବ ଯୋଗୁଁ ମିସନ ଶକ୍ତି ଅଧୀନରେ ଥିବା ୬ ଲକ୍ଷ ମହିଳା ଏସ୍‌ଏଚ୍‌ଜି ଗୋଷ୍ଠୀର ୭୦ ଲକ୍ଷ ମହିଳା ଏସ୍‌ଏଚ୍‌ଜି ସଦସ୍ୟାମାନେ ବିନା ସୁଧରେ ୫ ଲକ୍ଷ ଋଣ ପାଇବା କଷ୍ଟକର ହୋଇପଡୁଛି। ଏହା ବ୍ୟତୀତ ସାଧାରଣ ଲୋକେ ମଧ୍ୟ ଖରାପ ବ୍ୟାଙ୍କିଂ ନେଟୱାର୍କ ହେତୁ ସେମାନଙ୍କ ବ୍ୟାଙ୍କିଙ୍ଗ ଆବଶ୍ୟକତା ପାଇବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଜେଡି ମୁଖପାତ୍ରମାନେ କହିଛନ୍ତି ଯେ ପ୍ରଥମେ ଓଡ଼ିଶା ବିଜେପି ନେତାମାନେ କ୍ରମାଗତ ଭାବରେ ଓଡ଼ିଶାର ଲୋକଙ୍କୁ ଆଇନହୀନ ବୋଲି କହୁଥିଲେ। ତା’ପରେ ସେମାନେ କ୍ରମାଗତ ଭାବରେ ଓଡ଼ିଶାର ମହିଳା ଏସ୍‌ଏଚ୍‌ଜି ସଦସ୍ୟମାନଙ୍କୁ ଅପମାନିତ କଲେ। ଏହା ସେମାନଙ୍କର ଓଡ଼ିଶା ବିରୋଧୀ ମନୋଭାବକୁ ସ୍ପଷ୍ଟ ଭାବେ ଦର୍ଶାଉଛି।

Leave A Reply

Your email address will not be published.