ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ପୂରିଲା ୧୦ ଦିନ: ମୃତକଙ୍କ ପାଇଁ ଗଣଦଶାହ, ସମୂହ ମୁଣ୍ଡନ

ବାଲେଶ୍ବର/ସୋର/ବ‌ାହାନଗା: କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାକୁ ୧୦ ଦିନ ପୂରିଥିବା ବେଳେ ମଣିଷପଣିଆର ନିଆରା ଉଦାହରଣ ଦେଖାଇଛନ୍ତି ବାହାନଗା ଗ୍ରାମବାସୀ। ଜୁନ୍ ୨ ତାରିଖ ଶୁକ୍ରବାର ସନ୍ଧ୍ୟାରେ ବାହାନଗା ବଜାର ଷ୍ଟେସନଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ଜଣ ମୃତକଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଆଜି ଗଣଦଶାହ ପାଳନ କରିବା ସହ ଲଣ୍ଡା ହୋଇ ଶୁଦ୍ଧି କ୍ରିୟାକର୍ମ କରିଛନ୍ତି। ଆଜି ସକାଳେ ବାହାନଗା ବଜାର ପାଖ ପୋଖରୀରେ ୧୨୦ ଜଣ ମୁଣ୍ଡନ ହୋଇଥିଲେ। ପରମ୍ପରା ଅନୁସାରେ, ବହୁ ମହିଳା ନଖ ମଧ୍ୟ କାଟିଥିଲେ। ଲଣ୍ଡା ହେବାପରେ ଧଳାଧୋତି ପରିଧାନ କରି ଓ କାନ୍ଧରେ ଗାମୁଛା ପକାଇ ତିଳତର୍ପଣ କରିଥିଲେ ଗ୍ରାମବାସୀ। ଏହିସମୟରେ ଅନେକ କୋହ ସମ୍ବରଣ କରି ନପାରି କାନ୍ଦିଥିଲେ। କହିଥିଲେ, ଭଗବାନ ଏମିତି ଦୁଃଖ ଆଉ କାହାକୁ ନ ଦିଅନ୍ତୁ। ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିମାନଙ୍କର ଆଶୁ ଆରୋଗ୍ୟ ପାଇଁ ପୂଜା‌ପାଠ ମଧ୍ୟ କରାଯାଇଥିଲା।ଶୁଦ୍ଧିକ୍ରିୟା ସରିବା ପରେ ଆଜି ୩ଶହ ଲୋକ ଏକାଠି ବସି ଶ୍ରାଦ୍ଧ ଭୋଜନ କରିଥିଲେ। ଏହିସମୟରେ ଜଣେ ଯୁବକ ସେହି କଳାରାତିର ଲୋମଟାଙ୍କୁରା ଅନୁଭୂତି ବର୍ଣ୍ଣନା କରିଥିଲେ। ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ବଗିରେ ଚାପି ହୋଇ ରହିଥିବା ବିହାର ଅଞ୍ଚଳର ଦୁଇଜଣ ଯୁବକ ଉଦ୍ଧାର ଅସମ୍ଭବ ଜାଣି ତାଙ୍କ ମୁହଁରେ ପାଣି ଟିକେ ଦେବାକୁ କାକୁତିମିନତି ହୋଇଥିଲେ। ପାଣି ପିଇବାପରେ ଦୁଇଯୁବକ ବହୁକଷ୍ଟରେ ସେମାନଙ୍କ ମୋବାଇଲ ଫୋନ୍ ଓ ମନିପର୍ସ ନେଇଯିବାକୁ ଇସାରା ଦେଇ ଥରଥର କଣ୍ଠରେ ପରିବାର ଲୋକଙ୍କୁ ଜଣାଇ ଦେବାକୁ ଅନୁରୋଧ କରିଥିଲେ। ପରେ ଘଟଣାସ୍ଥଳରେ ଦୁହିଁଙ୍କର ଶରୀର ନିସ୍ତେଜ ହୋଇ ଯାଇଥିଲା। ପରିବାର ଲୋକ ପହଞ୍ଚିବା ପରେ ଉଭୟଙ୍କର ମୋବାଇଲ ଓ ପର୍ସ ଫେରାଇଥିଲେ ବୋଲି ଏହି ଯୁବକଜଣକ ପ୍ରକାଶ କରି ଏହି ଘଟଣା ତାଙ୍କୁ ମାନସିକ ସ୍ତରରେ ଅତ୍ୟନ୍ତ ବିଚଳିତ କରିଥିବା କହିଛନ୍ତି।ମୃତାହତଙ୍କ ପାଇଁ ଆସନ୍ତା ୩ ଦିନ ହୋମଯଜ୍ଞ, ନାମ ସଂକୀର୍ତ୍ତନ, ଦଶାହ ଭୋଜି ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜି ମୁଣ୍ଡନ ଓ ଦଶାହକର୍ମ ସଂପନ୍ନ ହୋଇଥିବା ବେଳେ ଆସନ୍ତାକାଲି ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ ନାମ ସଂକୀର୍ତନ, ଗାୟତ୍ରୀମନ୍ତ୍ର ଜପ ଅନୁଷ୍ଠିତ ହେବ। ସେହିପରି ୧୩ ତାରିଖରେ ସର୍ବଧର୍ମ ସଭା, ଶାନ୍ତି ଶୋଭାଯାତ୍ରା, ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ, ୫୦୦୮ ଦୀପଦାନ, ସତ୍‌ସଙ୍ଗ ସମାରୋହ ସହିତ ୧୫୦୦ ଲୋକଙ୍କ ପାଇଁ ସାମୂହିକ ପ୍ରସାଦସେବନର ବ୍ୟବସ୍ଥା କରାଯାଇଛି। ବାହାନଗା, ସୋର ତଥା ବାଲେଶ୍ୱରର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତାଙ୍କ ପକ୍ଷରୁ ଏହିସବୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସୂଚନାଥାଉକି, ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଶହରୁ ଅଧିକ ଯାତ୍ରୀ ଗୁରୁତର ଓ ସାମାନ୍ୟ ଆହତ ହୋଇଛନ୍ତି। ଉଦ୍ଧାର କାମରେ ସ୍ଥାନୀୟ ଗ୍ରାମବାସୀଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ସବୁ ମହଲରେ ଭୂୟସୀ ପ୍ରଶଂସା କରାଯାଇଥିଲା।

Leave A Reply

Your email address will not be published.