ତିନିରଥରେ ଆଗଆଣି-ପଛଆଣି କତରା ସଂଯୋଗ ହେଲା

ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ତିନିରଥର ପାରାଭାଡ଼ି ସହ ୧୩ତମ ପରସ୍ତ ଖପୁରୀ ପାରେଣି ପଡ଼ିଥିବା ବେଳେ ଆଜି ତିନିରଥର ଦୁଇଟି ଲେଖାଏଁ ଆଗଆଣି ଓ ପଛଆଣି କତରା ନିର୍ମାଣ ଶେଷ ହେବାପରେ ତିନି ରଥରେ ସଂଯୋଗ ହୋଇଛି। କତରାରେ କାପ କରାଯାଇ ଗୁଜ ଓ ଗୟଳ ଟାଣ ଉପରେ କଣ୍ଟା ବାଡ଼ିଆ ଯାଇ ସଂଯୋଗ ହୋଇଛି। ରଥର ବିଭିନ୍ନ ଅଂଶକୁ ବାନ୍ଧି ରଖିବାରେ ଏହି କତରା ଯୋଖା ହୋଇଥାଏ। ଏଥିସହ ସେବକମାନେ ରଥ ଉପରକୁ ଉଠିବାରେ ଏହା ସହାୟ ହୁଏ। ତିନି ରଥର ଚାରି ପାର୍ଶ୍ୱରେ ତାଗ ବା ବଟନ ବାଡ଼ିଆ ପରେ ତାଗ ଉପରେ ପଟା ବାଡ଼ିଆ କାର୍ଯ୍ୟ ଜାରି ରହିଛି। ମହାରଣା ସେବକମାନେ ତିନି ବାଡର ‘ପ୍ରଭା’ ଓ ଶ୍ରୀବିଗ୍ରହ ମାନଙ୍କ ‘ଚକା ବଇଠି’ ନିର୍ମାଣ ଶେଷ କରିଛନ୍ତି। ତିନିରଥର ଦୁଇଟି ଲେଖାଁଏ ‘ଘୋଡାଇଶ’ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଘୋଡା ଇଶ ଚାର ପରିଛା, ନିରାଡ଼ି ମଧ୍ୟରେ ଥିବା ଫାଙ୍କରେ ସଂଯୋଗ କରାଯିବ। ତିନିରଥର ଦୁଇଟି ଲେଖାଁଏ ୨୦ ଫୁଟର ‘ସାଙ୍ଗି’ ନିର୍ମାଣ ଶେଷ ହୋଇଛି।ରୂପକାର ସେବକମାନେ ତିନିରଥର ବାକି ନାତ ଗୋଡ଼ ଗୁଡିକରେ କନ୍ଦର୍ପ ରୂପ ଖୋଦେଇ ଶେଷ କରିଛନ୍ତି। ଆସନ୍ତାକାଲି ଅନୁକୂଳ ପୂଜାପରେ ପ୍ରଭାଗୁଡିକରେ ରୂପ ଖୋଦେଇ ଆରମ୍ଭ କରିବେ। ଚିତ୍ରକାର ସେବକମାନେ ତିନିରଥର ୪ଟି ଲେଖାଁଏ ଦୁଆର ବେଢାରେ ରୂପ ଚିତ୍ର ସହ, ରଥ ପାର୍ଶ୍ୱ ଦେବ ବେବୀ, କଳଶ, ଓଲଟ ଶୁଆ, ହଂସ ପଟା, ରଥ ବାହ୍ୟ ଅଂଶରେ ଚିତ୍ର କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ଜଗତ ପୃଷ୍ଠ ସେଣି କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦରଜି ସେବକ ମାନେ ତିନିରଥର ବତା କନାର ବିଳାଶ ପଟିରେ ଲେସ କାମ କରୁଛନ୍ତି। ରଥ ନିର୍ମାଣର ୪୯ତମ ଦିବସରେ ମୋଟ ୨୪୭ ଜଣ ସେବକ ନିୟୋଜିତ ହୋଇଛନ୍ତି।

Leave A Reply

Your email address will not be published.