ସକାଳ ସାଢେ ୫ଟା ସୁଦ୍ଧା ରାଜଧାନୀରେ ୩୦ ଡିଗ୍ରି ତାପମାତ୍ରା ରେକର୍ଡ

ଭୁବନେଶ୍ବର: ଆଜି ସକାଳ ସାଢେ ୫ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ  ୮୮% ଆଦ୍ରତା  ରହିଥିବା ଜଣାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜଧାନୀରେ ପାରଦ ୪୨ ଡିଗ୍ରି ଛୁଇଁପାରେ ବୋଲି ଆକଳନ କରାଯାଉଛି। ପାଣିପାଗ ବିଭାଗ ପକ୍ଷରୁ  ପ୍ରଦତ୍ତ ସୂଚନା ଅନୁଯାୟୀ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଜାରି ରହିବ। ଏଣେ ଆହୁରି ୨ ଦିନ ରହିବ ତାତି। ଉପକୂଳରେ ତାତି ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଅସହ୍ୟ ଗୁଳୁଗୁଳି। କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠୁ ୪ରୁ ୬ ଡିଗ୍ରି ଅଧିକ ସମ୍ଭାବନା ରହିଛି। ଏଣୁ ନିହାତି ଆବଶ୍ୟକ ନ ଥିଲେ ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଯଦିଓ ଏହି ଗରମ ଏବଂ ଗୁଳୁଗୁଳି ସହନୀୟ କିନ୍ତୁ ଛୋଟ ପିଲା , ବୟସ୍କ ବ୍ୟକ୍ତି ତଥା ରୋଗୀ ଶ୍ରେଣୀୟ ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ସିଧାସଳଖ ଖରାରୁ ଦୁରେଇ ରହିବା ସହ ଯଥେଷ୍ଟ ମାତ୍ରରେ ପାନୀୟ ଗ୍ରହଣ କରନ୍ତୁ ଏବଂ ରହୁଥିବା ସ୍ଥାନକୁ ଶୀତଳ ରଖିବାକୁ କୁହାଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଖରାଟିଆ ଚାଷ କରିଥିବା ଚାଷୀଭାଇମାନେ ନିଜ ଜମିରେ ଜଳସେଚନ ଜାରି ରଖିବାକୁ ବି ପରାମର୍ଶ ଦିଆଯାଇଛି। ଗୃହପାଳିତ ପଶୁ ଏବଂ ପକ୍ଷୀମାନଙ୍କୁ ନିରାପଦ ସ୍ଥାନରେ ସୁରକ୍ଷିତ କରିବା ସହ ସିଧାସଳଖ ଖରାରୁ ଦୁରେଇ ରଖିବାକୁ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.