ସକାଳୁ ସକାଳୁ ଅସହ୍ୟ ଗରମ : ସକାଳ ୫ଟା ୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୩୦ ଡିଗ୍ରୀ ଟପିଲା

ରାଜଧାନୀ : ସକାଳୁ ସକାଳୁ ଅସହ୍ୟ ତାତି । ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ସକାଳ ୫ଟା ୩୦ ସୁଦ୍ଧା ରାଜଧାନୀର ପାରଦ ୩୦ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହ ଆର୍ଦ୍ରତା ୯୨ ପ୍ରତିଶତ ରେକର୍ଡ ହୋଇଛି । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ୧୮ ତାରିଖ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଏହି ସମୟରେ କିଛି କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୬ରୁ ୭ ଡିଗ୍ରୀ ଅଧିକ ରେକର୍ଡ ହେବା ସମ୍ଭାବନା ରହିଛି । ଏହା ପରେ ତାତି କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗତକାଲି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୨ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏହା ସ୍ୱାଭାବିକ ତାପମାତ୍ରାଠାରୁ ୭ ଦଶମିକ ୫ ଡିଗ୍ରୀ ଅଧିକ ଥିଲା । ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୪ ଦଶମିକ ୮ଡିଗ୍ରୀ ରେକର୍ଡ କରାଯାଇଥିଲା ।

Leave A Reply

Your email address will not be published.