ଶୁଖିଲା ପଡ଼ିଛି ଜମି, ଚିନ୍ତାରେ ଚାଷୀ

ଭୁବନେଶ୍ବର : ରଜ ସଂକ୍ରାନ୍ତି ବେଳକୁ ଧାନ ତଳି ପକାଯାଇ ରଥଯାତ୍ରା ବେଳକୁ ରୁଆ କାର୍ଯ୍ୟ ଆରମ୍ଭ ହୋଇଯାଏ। କିନ୍ତୁ ବିଳମ୍ବିତ ମୌସୁମୀ ବର୍ଷା ଯୋଗୁଁ ଅନେକ ଚାଷୀ ସେମାନଙ୍କ ଜମି ପ୍ରସ୍ତୁତ କରିପାରି ନାହାନ୍ତି। ଏପରିକି ବୁଣା କଥା ନକହିବା ଭଲ। ଯେଉଁଠି ଜଳସେଚନ ସୁବିଧା ଅଛି ସେଠି ଅଳ୍ପ କିଛି ଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ଅଣଜଳସେଚିତ ଅଞ୍ଚଳର ଚାଷୀଙ୍କ ଚାଷ କାର୍ଯ୍ୟ ଠପ୍ ହୋଇଯିବା ଭଳି ସ୍ଥିତି ହୋଇଛି। ଅଣଧାନ ଚାଷର ମଧ୍ୟ ସମାନ ସ୍ଥିତି। ବର୍ତ୍ତମାନ ପର୍ଯ୍ୟନ୍ତ ମକା ଲଗାଯାଇ ଦୁଇ-ତିନି ପତ୍ର ହୋଇଯାଇଥାଏ। କିନ୍ତୁ ଚଳିତ ବର୍ଷ ମକା ଗଛ ମଧ୍ୟ ଲଗାଯାଇ ପାରିନାହିଁ। ମାଣ୍ଡିଆ, ସୁଆଁ, ବର୍ଷାଦିନିଆ ପରିବା ଚାଷ ମଧ୍ୟ ୧୫ ଦିନ ବିଳମ୍ବ ହୋଇ ସାରିଛି। କୋରାପୁଟ ଜିଲ୍ଲାର ଚାଷର ସ୍ଥିତିକୁ ନେଇ ଏହା କହନ୍ତି ଚାଷୀ ନରେନ୍ଦ୍ର ପ୍ରଧାନ। ଗଞ୍ଜାମ ଚାଷୀ ସୀମାଞ୍ଚଳ ନାଏକଙ୍କ ଅନୁସାରେ, ଗତବର୍ଷ ଏହି ସମୟରେ ତଳି ପଡ଼ି ଯାଇ ଧାନ ବୁଣା ସରିଥିଲା। ଦେଢ଼ ମାସ ହେଲା ବର୍ଷା ନଥିବାରୁ ଅଧିକାଂଶ ସ୍ଥାନରେ ତଳି ପଡ଼ିନାହିଁ। ଏଭଳି ସ୍ଥିତିରେ ଚାଷ କାର୍ଯ୍ୟ ବିଳମ୍ବିତ ହେବାରେ ଲାଗିଛି। ଉତ୍ପାଦନ ଉପରେ ପ୍ରଭାବ ପଡ଼ିବା ନେଇ ସ୍ପଷ୍ଟ ହେଉଛି। ସମ୍ବଲପୁର ଚାଷୀ ଅଶୋକ ପ୍ରଧାନ କହନ୍ତି, ବର୍ଷା ନଥିବାରୁ ଚାଷ କାର୍ଯ୍ୟ ବିଳମ୍ବିତ ହେଉଛି। ବିପଜ୍ଜନକ ବିଷୟ ହେଲା, ମାଟିର ଆର୍ଦ୍ରତା ମଧ୍ୟ ହ୍ରାସ ପାଇବାରେ ଲାଗିଛି, ଏଥିଯୋଗୁଁ ଚାଷୀଙ୍କ ସାହସ ଭାଙ୍ଗୁଛି। ପୂର୍ବ ଭଳି ୧୫ରୁ ୧୭ ଦିନର ଝାଙ୍କେର ବର୍ଷା ହେଉନାହିଁ। ତେଣୁ ଅଣଜଳସେଚିତ ଅଞ୍ଚଳ ଚାଷୀଙ୍କ ଚାଷ କାର୍ଯ୍ୟ ବିଳମ୍ବିତ ହେଉଛି। ଏହା ସମ୍ପୂର୍ଣ୍ଣ ମାଡ଼ ଖାଇଯିବା ଭଳି ଆଶଙ୍କା ଦେଖାଗଲାଣି। ଏହା କେବଳ ଉଦାହରଣ ମାତ୍ର। ମେ’ ଅର୍ଥାତ ମୌସୁମୀ ପୂର୍ବର ବର୍ଷା ନ ହେବା ଏବଂ ମୌସୁମୀ ବର୍ଷା ମଧ୍ୟ ଗୋଟିଏ ସପ୍ତାହ ବିଳମ୍ବିତ ହେବା ଯୋଗୁଁ ରାଜ୍ୟ ତମାମ ଚାଷ କାର୍ଯ୍ୟ ପଛେଇ ଯାଇଥିବା କୃଷି ବିଭାଗ ମଧ୍ୟ ସ୍ପଷ୍ଟ କରିଛି। ଏହାର ଆକଳନ ରିପୋର୍ଟ ଆସନ୍ତାକାଲି ସୁଦ୍ଧା ସ୍ପଷ୍ଟ ହେବ। ଏଥିଯୋଗୁଁ ଚଳିତ ବର୍ଷ ସ୍ଥିତି ଏଭଳି ହୋଇଛି ଯେ ହଳରେ ଚାଷ ସମ୍ଭବ ହୋଇନାହିଁ।

Leave A Reply

Your email address will not be published.