ପ୍ରଶାନ୍ତଙ୍କ ଗିରଫ ପରେ ରାଜନୀତି ସରଗରମ: ଭାରପ୍ରାପ୍ତ ଉପଜିଲ୍ଲାପାଳଙ୍କ ଫୋନ୍‌ କଲ ଯାଞ୍ଚ ଦାବି

ନବରଙ୍ଗପୁର : ନବରଙ୍ଗପୁର ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଗତକାଲି ଗିରଫ ହେବାପରେ ସରଗରମ ହୋଇଛି ନବରଙ୍ଗପୁର ଜିଲ୍ଲା ରାଜନୀତି। ବିରୋଧୀ ଦଳ କଂଗ୍ରେସ ଏବଂ ବିଜେପି ଏକକାଳୀନ ପ୍ରଶାନ୍ତଙ୍କ ସାହାରା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର ଦିନ ବିଜେପି ସାମ୍ବାଦିକ ସମ୍ମିଳନୀ କରି ଜମି କିସମ ପରିବର୍ତ୍ତନ ଏବଂ ଖଣିରୁ ବ୍ୟାପକ ଅର୍ଥ ପ୍ରଶାନ୍ତ ଆଦାୟ କରୁଥିଲେ ବୋଲି ଅଭିଯୋଗ ଆଣିଛି। ୫-ଟି ସଚିବଙ୍କ ମୋ ଉପରେ ଆଶୀର୍ବାଦ ରହିଥିବା କହି ଅନୈତିକ ଭାବେ ଟଙ୍କା ସଂଗ୍ରହ କରୁଥିଲେ। ଟଙ୍କା ବିଭିନ୍ନ ସ୍ତରରେ ଭାଗବଣ୍ଟା ହେଉଥିଲା। ତେବେ ଟଙ୍କା ଦେଣନେଣରେ କୌଣସି ପ୍ରକାର ଗଡ଼ବଡ଼ ହେବାରୁ ଭିଜିଲାନ୍ସ ଚଢ଼ଉ କରିଥିବା ପୂର୍ବତନ ସାଂସଦ ବଳଭଦ୍ର ମାଝୀ କହିଛନ୍ତି। ଆଗକୁ ନିର୍ବାଚନ ରହିଥିବାରୁ ପାଣ୍ଠି ଯୋଗାଡ଼ କାମରେ ଲାଗିଥିଲେ ପ୍ରଶାନ୍ତ। ଏନେଇ ଜିଲ୍ଲାପାଳ, ବିଧାୟକ ଏବଂ ସାଂସଦ ଜାଣିଥିଲେ ସୁଦ୍ଧା କେହି ପାଟି ଫିଟାଉନଥିଲେ। ଜଣେ ସହକାରୀ ଉପଜିଲ୍ଲାପାଳଙ୍କ ବିରୋଧରେ ପୂର୍ବରୁ ଭିଜିଲାନ୍ସ ମାମଲା ରହିଥିବା ସତ୍ତ୍ବେ ଉପଜିଲ୍ଲାପାଳ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯିବା ତାହାର ବଳିଷ୍ଠ ପ୍ରମାଣ। ଏପରିକି ବିଜେଡିର କିଛି ନେତା ଟଙ୍କା ଦେଇ ଜମି କିସମ ପରିବର୍ତ୍ତନ କରିଛନ୍ତି। ପ୍ରଶାନ୍ତ ଏକୁଟିଆ ସଂଗ୍ରହ କରୁନଥିଲେ ତାଙ୍କ ସହ କିଛି ନେତା ଏବଂ ପ୍ରଶାସନିକ ଅଧିକାରୀ ସଂଶ୍ଳିଷ୍ଟ ଥିଲେ। ଭିଜିଲାନ୍ସ ସେହି ଦିଗରେ ଯାଞ୍ଚ ପରିସରକୁ ବଢ଼ାଇଲେ ଅନ୍ୟମାନଙ୍କ ସଂପୃକ୍ତିର ପ୍ରମାଣ ମିଳିବ। ପ୍ରଶାନ୍ତ କାହା ସହ ନିୟମିତ କଥାବାର୍ତ୍ତା କରୁଥିଲେ ଜାଣିବା ପାଇଁ ଫୋନ୍‌ କଲ ଯାଞ୍ଚ କରିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବନେତା ଗୌରୀ ମାଝୀ, ନଗର ମଣ୍ଡଳ ସଭାପତି ଶ୍ରୀଧର ପାତ୍ର, ଜଗଦୀଶ ବିଷୋୟୀ, ଶର୍ମିଷ୍ଠା ଦେଓ, ଏ. ସତୀଶ, ଅମିତ ପ୍ରଧାନ, ଦେବଦାସ ମହାଙ୍କୁଡ, ସୁବ୍ରତ ମିଶ୍ର, ଶୁଭମ ଚୌଧୁରୀ, ପିଣ୍ଟୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାର ଜଣେ ବିଧାୟକଙ୍କ ସହ ପ୍ରଶାନ୍ତଙ୍କ ନିବିଡ଼ ସଂପର୍କ ରହିଥିଲା। ଜବତ ହୋଇଥିବା ଟଙ୍କା ସହ ସିଧାସଳଖ ଉପକ୍ତ ବିଧାୟକ ଏବଂ ଭୁବନେଶ୍ବର ଲିଙ୍କ ରହିଛି। ନିରପେକ୍ଷ ତଦନ୍ତ ‌ହେଲେ ବହୁ ନେତାଙ୍କ ମୁଖା ଖୋଲିଯିବ ବୋଲି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି।

Leave A Reply

Your email address will not be published.