ପିସି କାରବାର ବୟାନକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର : ରାଜ୍ୟରେ ପିସି କାରବାର ଓ ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍‌କୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ପରେ ବିଜେଡି, ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ ଏକ ଦୁର୍ନୀତି ମାମଲାରେ ରାଜ୍ୟ ଭିଜିଲାନ୍‌ସର ‌ରେଡ୍‌କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ହାସ୍ୟସ୍ପଦ। ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳ ନୀତି ସଂପର୍କରେ ଶ୍ରୀ ପ୍ରଧାନ ଅବଗତ ଥାଇ ମଧ୍ୟ ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। ଏହାସହ ଶ୍ରୀ ପାତ୍ର ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ ଦୁର୍ନୀତିରେ ଲିପ୍ତ ରହିବା କାରଣରୁ ଗତ ୩ବର୍ଷ ଭିତରେ ରାଜ୍ୟରେ ୧୮୦ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ସହିତ ସେମାନଙ୍କୁ ବରଖାସ୍ତ କିମ୍ବା ପେନସନକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ବଦଳରେ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି। ନିକଟରେ ହୋଇଥିବା କର୍ଣ୍ଣାଟକ ନିର୍ବାଚନ ସମୟରେ ଲୋକାୟୁକ୍ତ ଜଣେ ବିଜେପି ବିଧାୟକଙ୍କ ନିକଟରୁ ୮କୋଟି ଟଙ୍କା ଜବତ କରିଥିଲେ। ଏହି ସମୟରେ କର୍ଣ୍ଣାଟକର କିଏ ପର୍ଯ୍ୟବେକ୍ଷକ ଥିଲେ ? ସେ ଆହୁରିମଧ୍ୟ କହିଛନ୍ତି ଯେ ଦୁର୍ନୀତି ପାଇଁ ଯେଉଁମାନେ ବିଜେଡିରୁ ତଡ଼ା ଖାଉଛନ୍ତି ସେହି ବ୍ୟକ୍ତିମାନେ ବିଜେପି ନେତାଙ୍କ ସହ ଖୁଲମଖୁଲା ବୁଲୁଛନ୍ତି। ଓଡ଼ିଶାବାସୀ ସବୁ ଦେଖୁଛନ୍ତି। ଦୁର୍ନୀତି ବିରୋଧୀ ଲଢ଼େଇ ସଂପର୍କରେ ଓଡ଼ିଶାରୁ ଶିଖିବା ପାଇଁ ଶ୍ରୀ ପ୍ରଧାନ ବିଜେପି ରାଜ୍ୟମାନଙ୍କୁ କୁହନ୍ତୁ।

Leave A Reply

Your email address will not be published.