ଶିଖରଚଣ୍ଡୀ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ: ପଦାରେ ପଡ଼ିଲା ପ୍ରଶାସନର ମିଛ

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା‌ ନଷ୍ଟ କରାଯାଇ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ତଦନ୍ତ ଆରମ୍ଭ ହୋଇଛି। ଜଙ୍ଗଲ (ସଂରକ୍ଷଣ) ଆଇନ-୧୯୮୦କୁ ଉଲ୍ଲଂଘନ କରାଯାଇ ନିର୍ମାଣ କରାଯାଇଥିବାରୁ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ଗଠିତ ୪ ଜଣିଆ କମିଟି ଆଜି ଘଟଣାସ୍ଥଳ ପରିଦର୍ଶନ କରିବା ସହ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ପାହାଡ଼ରୁ କେତେ ଗଛ କଟାଯାଇଛି? କେଉଁ ପ୍ରକଳ୍ପ ପାଇଁ ଗଛ କଟିଛି? ପ୍ରଶାସନ ପକ୍ଷରୁ ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରି ନିଆଯାଇଛି ନା ନାହିଁ? ଏନ୍‌ଜିଟିଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାମ କାହିଁକି ଅଟକିଲା ନାହିଁ? ଏ ସବୁ ପ୍ରଶ୍ନର ଉତ୍ତର ମାଗି ତାଗିଦ କରିଛନ୍ତି ଏନଜିଟି ଟିମ୍। ତା’ ସହ ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରକଳ୍ପ ସହ ପରିବେଶ ମଞ୍ଜୁରି ନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ଉଭୟ ୱାଟ୍‌କୋ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଶିଖରଚଣ୍ଡୀ ପାହାଡ଼ରୁ ଯେଉଁ ଗଛ କଟା ଯାଇଛି, ତାହା ଦ୍ୱାରା ଜୈବବିବିଧତା କେତେ ନଷ୍ଟ ହୋଇଛି? ବନ୍ୟଜନ୍ତୁ କେତେ ପ୍ରଭାବିତ ହୋଇଛନ୍ତି? ସେନେଇ ଜଙ୍ଗଲ ବିଭାଗ ଅବଗତ ଅଛି କି ନାହିଁ, ସେସବୁର ତଥ୍ୟ ସଂଗ୍ରହ କରିଛନ୍ତି। ଆସନ୍ତା ଜୁଲାଇ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବା ବେଳେ ତା’ ପୂର୍ବରୁ ସବୁ ତଥ୍ୟ ପ୍ରମାଣ ଦାଖଲ ପାଇଁ ଆବେଦନକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ଜିଟି ଟିମ୍‌ର ଗସ୍ତ ସମୟରେ ପ୍ରଶାସନର ମିଥ୍ୟ ତଥ୍ୟ ସାମ୍ନାକୁ ଆସିଛି। ଗଛ ନୁହେଁ, ବରଂ ବୁଦା କଟାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ଏନ୍‌ଜିଟି ନିକଟରେ ଯେଉଁ ଭ୍ରମାତ୍ମକ ତଥ୍ୟ ଉପସ୍ଥାପନ କରାଯାଇଛି ତାହାର ସତ୍ୟତା ଦେଖିଛି ତଦନ୍ତକାରୀ ଟିମ୍‌। ପା‌ହାଡ଼ ଉପରେ ଟିମ୍‌ ଥିବାବେଳେ ବର୍ଷା ହେବାରୁ ମାଟି ଘୋଡ଼ାଯାଇ ଲୁଚା ହୋଇଥିବା କିଛି ଗଛର ମୂଳ ସାମ୍ନାକୁ ବାହାରି ଆସିଥିଲା। ରକ୍ତଚନ୍ଦନ ପରି ଲାଲ୍‌ ଦେଖାଯାଉଥିବା କିଛି ଗଛର ମୂଳ ମଧ୍ୟ ସେମାନେ ଦେଖିବାକୁ ପାଇଥିଲେ।

Leave A Reply

Your email address will not be published.