ଶ୍ରମିକଙ୍କ ଉପରେ ପରିସ୍ରା ଘଟଣା: ଦଶମତଙ୍କ ପାଦ ଧୋଇ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ

ଭୋପାଳ: ସମ୍ମାନର ନିଦର୍ଶନସ୍ବରୂପ ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଦିବାସୀ ଶ୍ରମିକ ଦଶମତ ରାୱତ୍‌ଙ୍କୁ ଭେଟି ତାଙ୍କ ପାଦ ଧୋଇ ଦେବା ସହିତ କ୍ଷମା ମାଗିଛନ୍ତି।ଉଲ୍ଲେଖ‌ଯୋଗ୍ୟ, ଦଶମତ ହେଉଛନ୍ତି ସେହି ଆଦିବାସୀ ଶ୍ରମିକ ଯାହାଙ୍କ ଉପରେ ସିଦ୍ଧି ଜିଲ୍ଲାରେ ପ୍ରବେଶ ଶୁକ୍ଳା ନାମରେ ଜଣେ ବ୍ୟକ୍ତି ପରିସ୍ରା କରିଥିଲେ ଏବଂ ସେ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରୁ ମଙ୍ଗଳବାର ବିଳମ୍ବିତ ରାତ୍ରରେ ତାଙ୍କୁ (ପ୍ରବେଶ) ଗିରଫ କରାଯାଇଥିଲା। ଉକ୍ତ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଦଶମତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଶ୍ରମିକ ଦଶମତଙ୍କ ପାଦ ପ୍ରକ୍ଷାଳନ (ଧୋଇବା) କରୁଥିବାର ଫଟୋ ମଧ୍ୟ ନିଜ ଟୁଇଟର୍‌ ହ୍ୟାଣ୍ଡଲ୍‌ରେ ସେୟାର୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚୌହାନ୍‌ ଲେଖିଛନ୍ତି, ମନ ଖୁବ୍‌ ଦୁଃଖ, ଦଶମତଜୀ ଆପଣଙ୍କ ଦୁଃଖରେ ଭାଗୀ ହେବାକୁ ଏହା ସାମାନ୍ୟ ପ୍ରୟାସ ମାତ୍ର। ଆପଣଙ୍କୁ କ୍ଷମାଭିକ୍ଷା କରୁଛି। ମ‌ୋ ପାଇଁ ଜନତା ହିଁ ଈଶ୍ବର। ଏହାପରେ ବୃକ୍ଷରୋପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦଶମତ ରାୱତ୍‌ଙ୍କୁ ନେଇ ସ୍ମାର୍ଟ ସିଟି ପାର୍କକୁ ଯାଇଥିଲେ। ତାଙ୍କ ସହିତ ମିଶି ମୁଖ୍ୟମନ୍ତ୍ରୀ ସେଠାରେ ଚାରାଟିଏ ଲଗାଇଥିଲେ। ଅମାନବୀୟ କାଣ୍ଡ କରିଥିବା ପ୍ରବେଶଙ୍କ ମାଲିକାନାରେ ଥିବା ଘରର କିଛି ଅଂଶକୁ ମଧ୍ୟ ରାଜ୍ୟ ସରକାର ବୁଧବାର ଦିନ ବୁଲ୍‌ଡୋଜର୍‌ଦ୍ବାରା ଭାଙ୍ଗି ପକାଇଥିଲେ। ଦଶମତଙ୍କୁ ଭେଟିବା ପୂର୍ବରୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉକ୍ତ ଭିଡିଓ ଦେଖି ସେ ଖୁବ୍‌ ମାନସିକ ଆଘାତ ପାଇଛନ୍ତି। ଭୋପାଳରେ ସେ ପୀଡ଼ିତ ଓ ତାଙ୍କ ପରିବାରବର୍ଗଙ୍କୁ ଭେଟିବେ। ସୂଚନାଯୋଗ୍ୟ, ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କ ନାମରେ ‘ଆଇପିସି’ ଧାରା ୨୯୪ ଓ ୫୦୪ ଏବଂ ଅନୁସୂଚିତ ଜାତି/ଜନଜାତି ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବା ସହିତ ‘ଏନ୍‌ଏସ୍‌ଏ’ ମଧ୍ୟ ଲାଗୁ କରାଯାଇଛି।

Leave A Reply

Your email address will not be published.