ଦୁର୍ଘଟଣାଜନିତ ସହାୟତାରେ ସରକାରୀ ପକ୍ଷପାତିତା

କେନ୍ଦୁଝର : ଦୁର୍ଘଟଣାରେ ପରିବାରର ମୁଖ୍ୟ କିମ୍ବା ରୋଜଗାରିଆ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ସମ୍ପୃକ୍ତ ପରିବାରଟି ଉଜୁଡ଼ି ଯାଉଛି। କୌଣସି ଦୁର୍ଘଟଣାରେ ୪/୫ଜଣଙ୍କ ମୃତ୍ୟୁ ଘଟିଲେ ସରକାର ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରୁଛନ୍ତି। ଜଣେ ଦୁଇଜଣଙ୍କ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ କେହି ଆଡ଼ଆଖିରେ ବି ଅନାଉ ନାହାନ୍ତି। ସରକାରୀ ସହାୟତା ପ୍ରଦାନରେ ଏଭଳି ପାତରଅନ୍ତର ପାଇଁ ମୃତକଙ୍କ ପରିବାରର ସାମାଜିକ ଓ ଆର୍ଥିକ ସ୍ଥିତି ଦୋହଲି ଯାଉଛି। ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ଦେଖୁନାହାନ୍ତି। ହେଲେ ଏହି ପ୍ରସଙ୍ଗଟି ଏବେ ଧୀରେ ଧୀରେ ଚର୍ଚ୍ଚାର ବିଷୟ ହେଲାଣି। ଅନୁକମ୍ପା ରାଶି ପ୍ରଦାନ କ୍ଷେତ୍ରରେ ସରକାରଙ୍କ ନିୟମ କଣ, ସେ ନେଇ ପ୍ରଶ୍ନର ଉତ୍ତର କେହି ସରକାରୀ ଅଧିକାରୀ ମଧ୍ୟ ଦେବାକୁ ନାରାଜ। କେନ୍ଦୁଝର ଜିଲ୍ଲାରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଛନ୍ତି। ସକାଳୁ ଜୀବନ ଜୀବିକା ପାଇଁ ଘରୁ ଗୋଡ଼ କାଢ଼ିଥିବା ଲୋକ ସନ୍ଧ୍ୟାରେ ଆଉ ଘରକୁ ଫେରୁନି। ସରକା‌ରୀ ତଥ୍ୟ ଅନୁସାରେ ଏହି ଜିଲ୍ଲାରେ ୨୦୨୨ରେ ୬୫୬ଟି ଦୁର୍ଘଟଣାରେ ୩୭୮ଜଣଙ୍କ ମୃତ୍ୟୁ ଘଟିଥିଲା। ୪୯୨ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ଅନେକ ସବୁଦିନ ପାଇଁ ଅକର୍ମଣ୍ୟ ହୋଇଯାଇଛନ୍ତି। ୨୦୨୧ରେ ମୋଟ ୬୭୫ଟି ଦୁର୍ଘଟଣା ଘଟିଥିବା ବେଳେ ୩୪୧ଜଣଙ୍କ ମୃତ୍ୟୁ ଘଟିଥିଲା। ୫୦୯ଜଣ ଆହତ ହୋଇଥିଲେ। ଏଥିରୁ ଅଧିକାଂଶ ମୃତକଙ୍କ ପରିବାରକୁ ସରକାର ଆଡ଼ ଆଖିରେ ବି ଅନାଇ ନଥିବାରୁ ପରିବାର ଲୋକେ ଦୁଃଖକଷ୍ଟରେ ଦିନ କାଟୁଛନ୍ତି। ଜୁନ୍‌ ୨୭ ତାରିଖରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଷଠିଘରଠାରେ ବାହାଘର ଶୋଭାଯାତ୍ରା ଉପରେ ଟ୍ରକ୍‌ ମାଡ଼ିଗଲା। ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଆଉଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସରକାର ତତ୍କାଳ ମୃତକଙ୍କ ପରିବାର ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ। ରେଡକ୍ରସ ପାଣ୍ଠିରୁ ମଧ୍ୟ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ଏହି ଦୁର୍ଘଟଣା ପରେ ସରକାର ମୃତକଙ୍କ ପରିବାର ପ୍ରତି ଯେଭଳି ସହାନୁଭୂତି ଦେଖାଇଲେ, ଅନ୍ୟ ଦୁର୍ଘଟଣାଗ୍ରସ୍ତଙ୍କ କ୍ଷେତ୍ରରେ କାହିଁକି ଦେଖାଉ ନାହାନ୍ତି? ସରକାରୀ ସହାୟତା ପାଇବା ପାଇଁ ଦୁର୍ଘଟଣାରେ କେବଳ କଣ ୪/୫ ଜଣ ପ୍ରାଣ ହରାଇବା ଆବଶ୍ୟକ କି? ମହାଦେଈଯୋଡ଼ା ପଞ୍ଚାୟତ ସଲରାପେଣ୍ଠ ଗ୍ରାମର ଜଗନ୍ନାଥ ପେଣ୍ଠଇ (୨୨) ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ କାଞ୍ଜିପାଣି ଘାଟିରେ ତାଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଟ୍ରକ୍‌ର ପରମିଟ୍‌ ଓ ବୀମା ନଥିବାରୁ ତାଙ୍କ ପରିବାରକୁ କୌଣସି ସହାୟତା ମିଳି ନଥିଲା। ଜଗନ୍ନାଥ ଥିଲେ ପରିବାରର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତି। ସେ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ମୃତ୍ୟୁ ପରେ ପତ୍ନୀ ଶଶୀ ପେଣ୍ଠେଇ, ପୁଅ କ୍ରିଷ୍ଣା ଦିନକୁ ଦୁଇବେଳା ଖାଇବାକୁ ପାଇଲେ ନାହିଁ। ବହୁଦିନ ଧରି ଦୟନୀୟ ଅବସ୍ଥାରେ ଚଳିବା ପରେ ଦୁଇବର୍ଷ ହେବ ପତ୍ନୀ ଶଶୀ କେଉଁଆଡ଼େ ପଳାଇଛନ୍ତି। ପୁଅ କ୍ରିଷ୍ଣା (୧୧) ପାଠପଢ଼ା ଛାଡ଼ି ପଡ଼ୋଶୀଙ୍କ ଆଶ୍ରାରେ ବଞ୍ଚିଛି।

Leave A Reply

Your email address will not be published.