ଚାକିରିର ୧୮ବର୍ଷ ପରେ ଧରା ପଡ଼ିଲା ନକଲି ସାର୍ଟିଫିକେଟ୍‌: ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା

କଟକ : ଦୀର୍ଘ ୧୮ବର୍ଷ ଧରି ନକଲି ସାର୍ଟିଫିକେଟରେ ଶିକ୍ଷକ ଚାକିରି କରୁଥିବା ବ୍ୟକ୍ତି ଏବେ ଧରା ପଡିଛନ୍ତି। ତାଙ୍କ ନାମରେ ଆଜି ଥାନାରେ ଏତଲା ଦିଆଯାଇଛି। ଧରା ପଡିଥିବା ଶିକ୍ଷକ ଜଣକ ହେଉଛନ୍ତି ଶିଶୁଆ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବଳରାମ ପାଇକରାୟ। ବାଙ୍କୀ-ଡମପଡା ବିଇଓ ଆଜି ଶ୍ରୀ ପାଇକରାୟଙ୍କ ନାମରେ ବାଙ୍କୀ ଥାନାରେ ଏତଲା ଦେଇଛନ୍ତି। କେବଳ ବଳରାମ ନୁହନ୍ତି ଜାଲ ସାର୍ଟିଫିକେଟ ଦେଇଥିବା ଜିଲ୍ଲାର ୪ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନାମରେ କଟକ ଶିକ୍ଷା ବିଭାଗ ପକ୍ଷରୁ ଏତଲା ଦିଆଯାଇଥିବା ଜଣା ପଡିଛି। କିନ୍ତୁ ପୁଲିସ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁ ନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଏବେ ବି ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ରାଜ୍ୟକୁ ବିଏଡ୍‌ ସାର୍ଟିଫିକେଟ୍‌ ଯାଂଚ ପାଇଁ ଯାଇଥିବା ୫୦ ସାର୍ଟିଫିକେଟ୍‌ର ବୈଧତା ରିପୋର୍ଟ ଆସି ପାରି ନାହିଁ। ମାସ ମାସ ହେଲା ରିପୋର୍ଟ ଆସୁ ନଥିବାରୁ ଏ ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ପୁଣି ଥରେ ସଂପୃକ୍ତ ରାଜ୍ୟର କର୍ତ୍ତୃପକ୍ଷଙ୍କୁ ରିମାଇଣ୍ଡର ପଠାଯାଇଛି। କଟକ ଜିଲ୍ଲାରେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ ବାରଙ୍ଗ ବ୍ଲକ୍‌ର ‌ଶିକ୍ଷକ ଚୌଧୁରୀ ନାୟକ ଓ ମନୋରଞ୍ଜନ ମାଝିଙ୍କ ନାମରେ ପୂର୍ବରୁ ଏତଲା ଦିଆଯାଇଥିଲା। ଏତଲା ପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାବେଳେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଭୟଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ସେହିପରି ଟାଙ୍ଗୀ ବ୍ଲକ୍‌ର ସବିତା କରଙ୍କ ବିରୋଧରେ ବି ଥାନାରେ ଏତଲା ଦିଆଯାଇଛି। କିନ୍ତୁ ତାଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇନି। ଆଜି ପୁଣି ବଳରାମ ପାଇକରାୟଙ୍କ ବିରୋଧରେ ବିଇଓ ନରେନ୍ଦ୍ର କୁମାର ବେହେରା ଏତଲା ଦେଇଛନ୍ତି। ଯେଉଁ ୪ଜଣଙ୍କ ନାମରେ ଏତଲା ଦିଆଯାଇଛି ସେମାନେ ୧୫ରୁ ୨୦ ବର୍ଷ ଚାକିରି କରି ସାରିଲେଣି। ଅନ୍ୟପଟେ ଜିଲ୍ଲାର ୮୫ଜଣ କନିଷ୍ଠ ଶିକ୍ଷକଙ୍କ ବିଏଡ୍‌ ସାର୍ଟିଫିକେଟ୍‌ ଯାଂଚ ପାଇଁ ବିଭିନ୍ନ ସ୍ଥାନକୁ ପଠାଯାଇଥିଲା। ସେଥିରୁ ୫୭ ଜଣଙ୍କ ସାର୍ଟିଫିକେଟ୍‌ ଠିକ୍‌ ଥିବା ରିପୋର୍ଟ ଆସିଥିବାବେଳେ ୨୮ଜଣଙ୍କ ସାର୍ଟିଫିକେଟ୍‌ ନେଇ କୌଣସି ଉତ୍ତର ଆସୁନି। ଏଥିସହ ୬୦ଜଣ ଗଣଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଂଚ ପାଇଁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଭଳି ଅନେକ ରାଜ୍ୟକୁ ପଠାଯାଇଛି। କିନ୍ତୁ ଉକ୍ତ ୫୦ଟି ସାର୍ଟିଫିକେଟ୍‌ର ବୈଧତା ନେଇ କୌଣସି ରିପୋର୍ଟ ଆସିନି। ଫଳରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସାର୍ଟିଫିକେଟ୍‌ର ରିପୋର୍ଟ ତୁରନ୍ତ ପଠାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ଚିଠି କରିଛନ୍ତି।

Leave A Reply

Your email address will not be published.