ବର୍ଷ ପୂର୍ତ୍ତିରେ ଓଡ଼ିଶାରେ ରାଷ୍ଟ୍ରପତି: ଭବ୍ୟ ସ୍ବାଗତ ଦେଖି ଗାଡ଼ିରୁ ଓହ୍ଲାଇଲେ

ଭୁବନେଶ୍ବର: ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଆସିଛନ୍ତି। ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟା ୧୦ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ବିମାନ ବନ୍ଦର ପରିସରରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ ଡିଜି ସୁନୀଲ ବଂଶଲ ପ୍ରମୁଖ ସ୍ବାଗତ କରିଥିଲେ। ଏହା ପରେ ରାଜଭବନ ଅଭିମୁଖେ କାରକେଡ୍ ବାହାରିଥିଲା। ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାର ଆଜି ଗୋଟିଏ ବର୍ଷ ପୂରଣ ହୋଇଥିବା ବେଳେ ଓଡ଼ିଶାରେ ପହଞ୍ଚିଥିବାରୁ ତାଙ୍କୁ ବିମାନ ବନ୍ଦର ବାହାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପାରମ୍ପରିକ ଆଦିବାସୀ ନୃତ୍ୟ ଓ ବାଦ୍ୟରେ ସ୍ବାଗତ କରାଯାଇଥିବା ବେଳେ ଶତାଧିକ ସଂଖ୍ୟାରେ ବିଜେପି କର୍ମୀ ଓ ସାଧାରଣ ଲୋକ ମଧ୍ୟ ଉପସ୍ଥିତ ଥିଲେ। ସୁରକ୍ଷା ବଳୟରେ କାରକେଡ୍‌ରେ ଯାଉଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହଠାତ୍ ସମସ୍ତ ପ୍ରୋଟକଲ୍ ଭାଙ୍ଗି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ।ଉପସ୍ଥିତ ଲୋକଙ୍କ ପାଖକୁ ଯାଇ ହାତ ମିଳାଇବା ସହ ହାତ ହଲାଇ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ। ପ୍ରାୟ ୫ ମିନିଟ୍ ଧରି ସେଠାରେ ରହିଥିବା ବେଳେ ଉପସ୍ଥିତ ଲୋକ ମଧ୍ୟ ଖୁସି ହୋଇଥିଲେ। ରାଷ୍ଟ୍ରପତିଙ୍କ ସହ ହାତ ମିଳାଇବା ସହ ଏତେ ପାଖରୁ ଦେଖିବାର ସୁଯୋଗ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଏହାପରେ ରାଷ୍ଟ୍ରପତି ସିଧା ରାଜଭବନ ଯାଇଥିଲେ। ରାଜଭବନ ବାହାରେ ମଧ୍ୟ ଉପସ୍ଥିତ ଜନତା ରାଷ୍ଟ୍ରପତିଙ୍କୁ ହାତ ହଲାଇ ସ୍ବାଗତ ଜଣାଇଥିଲେ। ରାଜଭବନରେ ‘ଅତୁଟ ବନ୍ଧନ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି। ଆସନ୍ତାକାଲି ୨୬ ତାରିଖ (ବୁଧବାର) ରାଷ୍ଟ୍ରପତିଙ୍କର ଦିନତମାମ କଟକରେ କାର୍ଯ୍ୟକ୍ରମ ରହିଛି। ରାଜଭବନରୁ ବାହାରି କଟକ ଯିବେ। ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ଯୋଗଦେବେ। ସନ୍ଧ୍ୟାରେ ପୁଣି ରାଜଭବନକୁ ଫେରି ରାତ୍ରିଯାପନ କରିବେ। ଏହାପରେ ୨୭ ତାରିଖ ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ(ପିଭିଜିଟି) ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଭୁବନେଶ୍ବର ତମାଣ୍ଡୋର ଦଶବାଟିଆରେ ବ୍ରହ୍ମାକୁମାରୀ କେନ୍ଦ୍ରରେ ଡିଭାଇନ୍ ଲାଇଟ୍ ହାଉସର ଶିଳାନ୍ୟାସ କରିବେ। ଏହା ପରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ବ୍ଲୁ ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରା ଯାଇଥିବା ବେଳେ ୩୬ ପ୍ଲାଟୁନ୍ ଫୋର୍ସ ଓ ୧୦୦ରୁ ଅଧିକ ଅଧିକାରୀ ମୁତୟନ ରହିଛନ୍ତି।

Leave A Reply

Your email address will not be published.