ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ ଗ୍ରାମବାସୀ

 ବେତନଟୀ ସଦର: ଦେଶ ସ୍ୱାଧୀନ ହେବାର ସାତ ଦଶନ୍ଧି ବିତିଗଲା କିନ୍ତୁ ଗାଁକୁ ଭଳ ରାସ୍ତାଟିଏ ହୋଇ ପାରିଲାନାହିଁ। ଖାଲଖମା ରାସ୍ତାରେ ବର୍ଷ ବର୍ଷ ଧରି ଯାତାୟତ କରୁଛନ୍ତି ଗ୍ରାମବାସୀ । ଅନେକ ସମୟରେ ଦୁର୍ଘଟଣାରେ ଲୋକଙ୍କ ଜୀବନ ଚାଲିଯାଉଛି । ବେତନଟୀ ବ୍ଲକ ଅଧୀନ ଜୁଗୁପୁରା ଗ୍ରାମବାସୀଙ୍କ କହିବା ମୁତାବକ ପ୍ରତିଦିନ ଜୁଗୁପୁରା-ଜାମନଣ୍ଡା ୩କିମି ରାସ୍ତାଦେଇ ଆଖପାଖ ଗାଁର ହଜାର ହଜାର ଲୋକ ଯିବାଆସିବା କରନ୍ତି। ନିର୍ବାଚନ ବେଳେ ମଧ୍ୟ ମାଳମାଳ ନେତା-ମନ୍ତ୍ରୀ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି। ହେଲେ ଦୀର୍ଘବର୍ଷ ଧରି ଏହି ରାସ୍ତା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ି ରହିଛି। ରାସ୍ତାର ପ୍ରାୟତଃ ଜାଗାରେ ୨-୩ଫୁଟ ଗଭୀରର ଖାଲ ସବୁ ରହିଛି। ବର୍ଷାଋତୁରେ ଏହି ଖାଲରେ ପାଣି ଭର୍ତ୍ତି ହୋଇ ଗାଡ଼ିଆର ଭ୍ରମ ସୃଷ୍ଟି କରେ ଓ ଦୈନନ୍ଦିନ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟେ। ସବୁ ନିର୍ବାଚନ ପୂର୍ବରୁ ନେତା ମନ୍ତ୍ରୀ ମାନେ ଆସି ଏହି ରାସ୍ତାର ଉନ୍ନତିକରଣ ନେଇ ବଡ ବଡ ଭାଷଣ ଦେଇଥାନ୍ତି। ହେଲେ ଭୋଟ୍ ମିଳିବା ପରେ ସବୁ ଓଲଟ ପାଲଟ୍ ହୋଇଯାଏ।

gpkandhamal

ବର୍ଷ ବର୍ଷ ଧରି ଖାଲଖମା ରାସ୍ତାରେ ଯାଆସ କରିବା ପରେ ବରିଷ୍ଠ ଶିକ୍ଷକ ଶରତ କୁମାର ମହାନ୍ତଙ୍କ ନେତୃତ୍ୱରେ ଅବିନାଶ ରାଉତ ସୃଷ୍ଟିଧର ରାଉତ, ଶ୍ରୀଧର ତ୍ରିପାଠୀ, ବିଜୟ ମହାନ୍ତି, ସନ୍ତୋଷ ମହାନ୍ତ, ଅଭିଷେକ ତ୍ରିପାଠୀ, ଅଂଶୁମାନ ରାଉତ, କୀର୍ତ୍ତିମାନ ରାଉତ ଭୁବନ ମହାନ୍ତି, ନେନା ମହାନ୍ତି ପ୍ରମୁଖଙ୍କ ସହିତ ଏକାଧିକ ଗ୍ରାମବାସୀ ନିଜେ ରାସ୍ତା ମରାମତି କରିବାକୁ ବାହାରି ପଡିଲେ। ନିଜେ ଟଙ୍କା ବାହାର କରି ରାସ୍ତାରେ ମାଟି, ଗୁଡ଼ି ଓ ଭଙ୍ଗା ଇଟା ପକାଇ ଗାଁ ରାସ୍ତାକୁ ମରାମତି କରିଛନ୍ତି । ସେମାନଙ୍କ କହିବା କଥା ଆମ ଗାଁ ରାସ୍ତା ଆମ ନିଜେ ସଜାଡ଼ିବୁ । ସରକାରୀ ବାବୁ ତ ଶୁଣିଲେନି। ଆମ ହାତ ଗୋଡ଼ ଅଛି, ଆମକୁ କରିବାକୁ ପଡ଼ିବ। ଗାଁକୁ ଭଲ ରାସ୍ତା ଟିଏ ପାଇଁ ପ୍ରାଶାସନ ପାଖରେ ଗୁହାରୀ କରି ଥକି ଗଲେ, ହେଲେ ଆଜି ପର୍ଯ୍ୟନ୍ତ ଗାଁକୁ ଭଲ ରାସ୍ତାଟିଏ ହୋଇପାରିଲା ନାହିଁ। ନିର୍ବାଚନ ବେଳେ ମାଳ ମାଳ ନେତା ମନ୍ତ୍ରୀ ଏହି ରାସ୍ତା ଯାତାୟତ କରିଥାନ୍ତି। ଏଥର ଆମେ ଆସିଲେ ଗାଁକୁ ପକ୍କା ରାସ୍ତା କରିଦେବାର ପ୍ରତିଶ୍ରୁତି ଦିଅନ୍ତି। ହେଲେ ନିର୍ବାଚନ ସରିଲେ ଗାଁ ପାଖ ମାଡୁନାହାନ୍ତି ଜନ ପ୍ରତିନିଧି। ୨୦ ରୁ ୩୦ ବର୍ଷ ହୋଇଗଲା ଗାଁକୁ ପକ୍କା ରାସ୍ତା ଦାବି କରି ଥକି ପଡିଲେଣି ହେଲେ କେହିଁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରୁଛନ୍ତି । ଯୋଉଁଥିପାଇଁ ଆମେ ଆଜି ଗାଁ ରାସ୍ତା ମରାମତି କରିବାକୁ ଅଣ୍ଟା ଭିଡ଼ିଛୁ।ତେବେ ଦେଖିବାକୁ ବାକି ରହିଲା ସରକାର କେବେ ଏହି ଗ୍ରାମବାସୀଙ୍କ ସମସ୍ୟା ଉପରେ ଦୃଷ୍ଟି ଦେଉଛନ୍ତି ଏବଂ ଗାଁକୁ ରାସ୍ତାଟିଏ ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି।

Umasankar Adv
Leave A Reply

Your email address will not be published.