ଭୁବନେଶ୍ବର: ନିଅଣ୍ଟିଆ ବର୍ଷା ଦ୍ବାରା ପ୍ରଭାବିତ ହେଲାଣି ସାରା ରାଜ୍ୟ। ଯେଉଁ ସମୟରେ ରୁଆ ବେଉସା ହେବା କଥା ସେତେବେଳେ ବର୍ଷା ଅଭାବରୁ ଚାଷ ଜମି ପଡ଼ିଆ ପଡ଼ିଲା। ଆଉ ଯେତେବେଳେ ବର୍ଷା ହେଲା, ତାହା କୌଣସି କାମରେ ଆସିଲା ନାହିଁ। କେଉଁଠି ବର୍ଷା ଅଜାଡ଼ି ଦେଲା ତ ଆଉ କେଉଁଠି ଆଦୌ ହେଲା ନାହିଁ। ଏବେ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି। ଗୋଟିଏ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୮ଟି ଜିଲ୍ଲାରେ ସ୍ବାଭାବିକ ରହିଛି। ଗାଣିତିକ ହିସାବରେ ବର୍ଷା ପରିମାଣ ସ୍ବାଭାବିକ କୁହାଯାଉଥିଲେ ମଧ୍ୟ ବର୍ଷାର ଅନିୟମିତା ଏବେ ଚାଷୀକୂଳ ପ୍ରତି ବିପଦ ଟାଣି ଆଣିଛି। ମୌସୁମୀ ଆଗମନ ପୂର୍ବରୁ ଚଳିତବର୍ଷ ସ୍ବାଭାବିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା। ଏବେ କିନ୍ତୁ ବର୍ଷା ଅନିୟମିତତା ପଛରେ ଏଲ୍-ନିନୋ ପ୍ରଭାବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମା ଶଙ୍କର ଦାସଙ୍କ ମତରେ ଅଗଷ୍ଟରେ ନିଅଣ୍ଟିଆ ବୃଷ୍ଟିପାତର ମୂଳ କାରଣ ହେଉଛି ଏଲ୍-ନିନୋ। ଦକ୍ଷିଣ ଆମେରିକା ନିକଟସ୍ଥ ପୂର୍ବ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ହୋଇଥିବା ବେଳେ ବିଷୁବରେଖା ନିକଟସ୍ଥ ମହାସାଗର ଅଞ୍ଚଳରେ ପଶ୍ଚିମରୁ ପୂର୍ବ ଦିଗକୁ ଗତି କରୁଥିବା ମ୍ୟାଡେନ୍-ଜୁଲିଆନ୍ ତରଙ୍ଗର ପ୍ରତିକୂଳ ପର୍ଯ୍ୟାୟ ଅନେକାଂଶରେ ଦାୟୀ। ମ୍ୟାଡେନ୍- ଜୁଲିଆନ୍ ତରଙ୍ଗ ସକ୍ରିୟ ରହିଲେ ଏହା ଭାରତର ମୁଖ୍ୟ ଭୂଭାଗରେ ମେଘ ସଂକ୍ରମଣକୁ ତ୍ୱରାନ୍ୱିତ କରିଥାଏ। ଫଳରେ ଅନେକ ମେଘ ସମୂହର ଉତ୍ତରାୟଣ ଗତି ସହ ଲଘୁଚାପର ଅନୁପସ୍ଥିତି ସତ୍ତ୍ବେ ଭଲ ବର୍ଷା କରାଏ। ଏହି ତରଙ୍ଗ ସକ୍ରିୟ ରହିଲେ ଏହା ଲଘୁଚାପ ସୃଷ୍ଟିର ଅନୁକୂଳ ମଧ୍ୟ ବୃଦ୍ଧି କରେ। ଜୁଲାଇରେ ଏହି ତରଙ୍ଗର ସକ୍ରିୟତା ଦ୍ବାରା ଉଭୟ ବଙ୍ଗୋପସାଗର ଓ ଆରବସାଗର ଉପରେ ମେଘ ସମୂହର ସଂକ୍ରମଣ ବହୁଗୁଣିତ ହୋଇଥିଲା ଏବଂ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିଲା। ଏଲ୍-ନିନୋ ସାଧାରଣତଃ ଭାରତରେ ଦୁର୍ବଳ ମୌସୁମୀ ପବନ ଓ ଶୁଖିଲା ପାଗକୁ ପ୍ରଶମିତ କରାଇଥାଏ। ମ୍ୟାଡେନ୍ ଓ ଜୁଲିଆନ୍ ତରଙ୍ଗ ହେଉଛି ଏକ ବୃହତ-ମାପର ଅନ୍ତସ୍ରୋତୀୟ ବାୟୁମଣ୍ଡଳୀୟ ବିଶୃଙ୍ଖଳା, ଯାହା ବିଷୁବରେଖା ନିକଟସ୍ଥ ଆଫ୍ରିକାରୁ ଉତ୍ପନ୍ନ ହୋଇ ସମୁଦ୍ର ମଧ୍ୟରେ ପୂର୍ବ ଦିଗକୁ ଯାତ୍ରା କରିଥାଏ। ମ୍ୟାଡେନ୍-ଜୁଲିଆନ୍ ଓସିଲିଏସନ୍(ଏମ୍ଜିଓ)ର ସକ୍ରିୟ ପର୍ଯ୍ୟାୟରେ ବର୍ଷା ପାଇଁ ବାୟୁମଣ୍ଡଳ ଅଧିକ ଅନୁକୂଳ ହୋଇଯାଏ। ଏହା ମେଘ ଆବରଣ, ଶକ୍ତିଶାଳୀ ପବନ ଓ ବର୍ଦ୍ଧିତ ବଦଳ ଏକତ୍ରୀକରଣ କାର୍ଯ୍ୟକଳାପକୁ ବଢ଼ାଇଥାଏ, ଫଳରେ ଭାରତୀୟ ଉପମହାଦେଶରେ ଅଧିକ ବର୍ଷା ହୋଇଥାଏ। ସକ୍ରିୟ ଏଲ୍-ନିନୋ ସ୍ଥିତି ପ୍ରଭାବରେ ବଙ୍ଗୋପସାଗରରେ ଏହି ସମୟରେ ସାଧାରଣତଃ ୫ଟି ଲୋ-ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥାଏ। ମାତ୍ର ଏଥର କେବଳ ଦୁଇଟି ଲୋ-ଲଘୁଚାପ ସୃଷ୍ଟି ହୋଇଛି। ଅଗଷ୍ଟରେ ନିଅଣ୍ଟିଆ ବୃଷ୍ଟିପାତର ଅନ୍ୟ ଏକ କାରଣ ହେଉଛି ବଙ୍ଗୋପସାଗରରେ କମ୍ ଲଘୁଚାପ କ୍ଷେତ୍ର ସୃଷ୍ଟି।
ଏହାରି ଭିତରେ ଏକ ଆଶ୍ବସ୍ତିକର ଖବର ହେଉଛି ସେପ୍ଟେମ୍ବରରେ ପଛକୁ ପଛ ଦୁଇଟି ଲଘୁଚାପ ଆସିବ ବୋଲି ଆକଳନ କରାଯାଇଛି। ଦକ୍ଷିଣ ଚୀନ୍ ସାଗର ଉପରେ ବିକଶିତ ନିମ୍ନ-ଚାପ ବା ଲଘୁଚାପ କ୍ଷେତ୍ର ସାଧାରଣତଃ ଭିଏତ୍ନାମ ପଶ୍ଚିମ ଦିଗକୁ ଗତି କରେ, ଭିଏତ୍ନାମ ଓ ଥାଇଲ୍ୟାଣ୍ଡ ଅତିକ୍ରମ ପରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚେ। ସକରାତ୍ମକ ଭାରତ ମହାସାଗର ଡାଇପୋଲ(ଆଇଓଡି) ହେତୁ ସେପ୍ଟେମ୍ବର ପାଇଁ ଦୃଷ୍ଟିକୋଣ ଅତ୍ୟନ୍ତ ଦୁର୍ବଳ ନୁହେଁ। ଏମିତି କେତେକ ମଡେଲର ଆକଳନ ଅନୁଯାୟୀ, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଗୋଟିଏ ଲଘୁଚାପ ଓ ଦ୍ୱିତୀୟ ସପ୍ତାହରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ବର୍ଦ୍ଧିତ ଏଲ୍-ନିନୋ ପ୍ରଭାବକୁ ଦେଖିଲେ ସେପ୍ଟେମ୍ବରରେ ବର୍ଷା ସ୍ୱାଭାବିକର ନିମ୍ନ ପାର୍ଶ୍ୱରେ(୯୪%ରୁ ୯୯%) ହୋଇପାରେ। ଅଗଷ୍ଟରେ ରାଜ୍ୟରେ ଏଯାବତ ୨୯୯.୬ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ବର୍ଷା। ମାତ୍ର ବର୍ଷାର ଅନିୟମିତତା ଏବେ ଚିନ୍ତାର କାରଣ ପାଲଟିଛି।