ଆଜିଠାରୁ ଦୁଇ ଦିନିଆ ଜି-୨୦ ସମ୍ମିଳନୀ

 ପ୍ରଥମ ଥର ଦିଲ୍ଲୀରେ ବିଶ୍ବ ନେତାଙ୍କ ଭିଡ଼, ୩୦ରୁ ଅଧିକ ରାଷ୍ଟ୍ରନେତା ଓ ୧୪ ବିଶ୍ବ ସଂଗଠନର ମୁଖ୍ୟ, ‘ଅତୁଳନୀୟ ଦସ୍ତାବିଜ୍’ ଦିଲ୍ଲୀ ଘୋଷଣାନାମା ପ୍ରସ୍ତୁତ ନୂଆଦିଲ୍ଲୀ : ଭାରତ ଅଧ୍ୟକ୍ଷତାରେ ବହୁ ପ୍ରତୀକ୍ଷିତ ଗ୍ରୁପ୍‌ ଅଫ୍‌ ୨୦ ବା ଜି-୨୦ ରାଷ୍ଟ୍ର ନେତାଙ୍କ ଅଷ୍ଟାଦଶ ସମ୍ମିଳନୀ ଶନିବାର ଓ ରବିବାର ଅନୁଷ୍ଠିତ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ପ୍ରତିନିଧିମାନେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସମସ୍ତଙ୍କୁ ସ୍ବାଗତ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ‘ଭାରତ ମଣ୍ଡପମ୍‌’ ଅପେକ୍ଷା କରିରହିଛି। କୌଣସି ପ୍ରତିନିଧିଙ୍କର ଯେମିତି କିଛି ବି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ନିବଦ୍ଧ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଷ୍ଟ୍ରନେତାମାନଙ୍କୁ ସ୍ବାଗତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ସମ୍ମିଳନୀ ଆୟୋଜନ ନେଇ ସେ ଅଭିଭୂତ। ଭାରତ ପ୍ରଥମ ଥର ଆୟୋଜନ କରୁଥିବା ଏହି ସମ୍ମିଳନୀ ‘ମାନବକୈନ୍ଦ୍ରିକ ବିକାଶ’ ଦିଗରେ ବିଶ୍ବକୁ ନୂଆ ପଥ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।

gpkandhamal

ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତ ଉଦ୍ୟମ କରାଯାଇଛି। ଏମିତିକି ସମ୍ମିଳନୀରେ ପ୍ରତିନିଧିମାନଙ୍କୁ ପ୍ରଦାନ କରାଯିବାକୁ ଥିବା ‘ଦିଲ୍ଲୀ ଘୋଷଣାନାମା’ ମଧ୍ୟ ପ୍ରସ୍ତୁତ ହୋଇସାରିଛି ବୋଲି କହିଛନ୍ତି ଜି-୨୦ ସେର୍‌ପା ଅମିତାଭ କାନ୍ତ। ଏହି ଘୋଷଣାନାମା ‘ଗ୍ଲୋବାଲ ସାଉଥ୍‌’ ତଥା ବିକାଶଶୀଳ ରାଷ୍ଟ୍ରଙ୍କ ସ୍ବର ଏବଂ ଅଦ୍ୟାବଧି ପ୍ରକାଶ ପାଇଥିବା ବିଶ୍ବର କୌଣସି ଘୋଷଣାନାମା ବା ଦସ୍ତାବିଜ୍‌ ଏହାର ତୁଳନୀୟ ନୁହେଁ କିମ୍ବା କୌଣସିଥିରେ ଏଭଳି ସ୍ବର ନାହିଁ ବୋଲି ସେ କହିଛନ୍ତି। ସମ୍ମିଳନୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧଠାରୁ ଆରମ୍ଭ କରି ଜୟବାୟୁ ପରିବର୍ତ୍ତନ, ଆତଙ୍କବାଦ, ଅର୍ଥନୀତି ଓ ନୂଆ ବିଶ୍ବ ବ୍ୟବସ୍ଥା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ଏବଂ ଏକ ମିଳିତ ଘୋଷଣାନାମା ପ୍ରକାଶ କରାଯିବ।ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ‘ଦି ନ୍ୟୁ ଦିଲ୍ଲୀ ଲିଡର୍ସ ଡିକ୍ଲାରେସନ୍‌’ ଶୀର୍ଷକ ଏହି ଘୋଷଣାନାମା ସମ୍ପର୍କରେ ସୂଚନା ଦେଇ ଅମିତାଭ କହିଛନ୍ତି, ଏହି ଘୋଷଣାନାମା ଉପରେ ନେତାମାନେ ବିସ୍ତୃତ ଆଲୋଚନା କରିବେ। ଏହା ଗୃହୀତ ହେବା ପରେ ସମ୍ମିଳନୀ ସଫଳ ହୋଇଛି ବୋଲି କୁହାଯିବ। ଗତ ବର୍ଷ ବାଲିରେ ଅନୁଷ୍ଠିତ ସମ୍ମିଳନୀରେ ଭାରତ ଜି-୨୦ର ଅଧ୍ୟକ୍ଷ ଦାୟିତ୍ବ ନେବାପରଠାରୁ ‘ବସୁଧୈବ କୁଟୁମ୍ବକମ୍‌’ ଉପରେ ଗୁରୁତ୍ବ ଦେଇଆସିଛି। ସମଗ୍ର ବିଶ୍ବକୁ ଗୋଟିଏ ପରିବାର ମନେକରି ଏହାକୁ ସମାବେଶୀ, ନିର୍ଣ୍ଣାୟକ, ମହତ୍ତ୍ବାକାଙ୍‌କ୍ଷୀ ଓ କା​‌େ​‌ର୍ଯ୍ୟାନ୍ମୁଖୀ କରିବା ପାଇଁ ବଦ୍ଧପରିକର ରହିଛି। ସମଗ୍ର ବିଶ୍ବର ସମନ୍ବିତ ବିକାଶ ପାଇଁ ଲକ୍ଷ୍ୟଭେଦୀ ଓ ଫଳପ୍ରଦ କାର୍ଯ୍ୟକ୍ରମ ଉପରେ ଏହା ଗୁରୁତ୍ବ ଦେଇଆସିଛି। ମୋଟ ୧୬୯ଟି ସମନ୍ବିତ ବିକାଶ ଲକ୍ଷ୍ୟ ମଧ୍ୟରୁ ଆଉ ମାତ୍ର ୧୨ଟି ଉପରେ ଏବେ କାର୍ଯ୍ୟ ଚାଲିଛି ଏବଂ ୨୦୩୦ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲାବେଳେ ଆମେ ଏବେ ମଝି ରାସ୍ତାରେ ରହିଛୁ। ଏହି ଗତିକୁ ତ୍ବରାନ୍ବିତ କରିବା ପାଇଁ ଜି-୨୦ ଅଧ୍ୟକ୍ଷ ଭାବେ ଭାରତ ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି। ବିଶ୍ବ ପରିବେଶ ଅନୁକୂଳ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଭାରତ ଆହ୍ବାନ ଦେଇଆସିଛି। ପରିବେଶ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନର ମୁକାବିଲା କାର୍ଯ୍ୟକ୍ରମ ସହ ଜଳବାୟୁ ଅର୍ଥନୀତି ଅବଲମ୍ବନ ପାଇଁ ବିଶ୍ବ ସମୁଦାୟ କାର୍ଯ୍ୟ କରିବା ଉପରେ ଭାରତ ଗୁରୁତ୍ବ ଦେଇଛି ବୋଲି ଅମିତାଭ କହିଛନ୍ତି।
ଏହି ଦୁଇ ଦିନିଆ ସମ୍ମିଳନୀରେ ୩୦ରୁ ଅଧିକ ରାଷ୍ଟ୍ରନେତା ଓ ଉଚ୍ଚ ଅଧିକାରୀ ଯୋଗ ଦେଉଛନ୍ତି। ଜାତିସଂଘ ମହାସଚିବ ଆଣ୍ଟେନିଓ ଗୁଟେରସ୍‌ଙ୍କ ସହ ୟୁରୋପୀୟ ସଂଘ, ଆଇଏମ୍‌ଏଫ୍‌ ଓ ବିଶ୍ବବ୍ୟାଙ୍କ ଭଳି ୧୪ଟି ଆନ୍ତର୍ଜାତିକ ସଂଗଠନର ମୁଖ୍ୟମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେଉଛନ୍ତି। ସେମାନଙ୍କ ପାଇଁ ୩୫ଟି ହୋଟେଲ ସଂରକ୍ଷିତ ରଖାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସନକ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ, ସଂଯୁକ୍ତ ଆରବ ରାଷ୍ଟ୍ରପତି ଶେଖ୍‌ ମହମ୍ମଦ, ଦକ୍ଷିଣ କୋରିଅା ରାଷ୍ଟ୍ରପତି ୟୁନ୍‌ ସକ୍‌ ୟୋଲ୍‌, ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭାରୋଭ, ମରିସନ୍‌ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନାଥ ପ୍ରମୁଖ ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବା ସହ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଟେଲରେ ଅବସ୍ଥାନ କରିଛନ୍ତି। ବାଇଡେନ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଆସନ୍ତା ୧୦ ତାରିଖ ମଧ୍ୟରେ ମୋଦୀଙ୍କର ଅନ୍ୟ ୧୪ଟି ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ସହ କେତେକ ରାଜିନାମା ସ୍ବାକ୍ଷର ହେବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଏଥିରେ ଅନୁପସ୍ଥିତ ଅଛନ୍ତି। ସମ୍ମିଳନୀ ପାଇଁ ଦିଲ୍ଲୀକୁ ସୁସଜ୍ଜିତ କରାଯାଇଥିବାବେଳେ ଅଭୂତପୂର୍ବ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

Umasankar Adv
Leave A Reply

Your email address will not be published.