ଲଗାଣ ବର୍ଷାରେ ଭାଙ୍ଗିଲା ନୁଆଗାଁ ନାଳର ପୋଲ

କଲମପୁର: ଲଗାଣ ବର୍ଷା ଯୋଗୁଁ ନୁଆଗାଁ ଉମେରକୁ ସଂଯୋଗ ହେଇଥିବା ରାସ୍ତାରେ ଥିବା ଏକ ପୋଲ ଭାଙ୍ଗିଯାଇଛି। ଯେଉଁଥିପାଇଁ ଏହି ରାସ୍ତା ସହ ସଂଯୋଗ ଥିବା ମୀନଗୁର, ଭଇଁରୀ ସମେତ ଜୟପାଟଣା ବ୍ଲକର ଉମେର ଏବଂ ରଣମାଲ ଏବଂ ମୋଟେର ଜୟପାଟଣା ମୁଖ୍ୟ ରାସ୍ତାକୁ ଯିବା ବାଧାପ୍ରାପ୍ତ ହେଇଛି। ଏହାସହ ଗ୍ରାମର ଅନେକ ଚାଷ ଜମିକୁ ଏହି ରାସ୍ତା ଦେଇ ଚାଷୀ ଯାତାୟତ କରୁଥିବା ବେଳେ ଏବେ ପୋଲ ଭାଙ୍ଗିଯିବା ଯୋଗୁଁ ସେମାନେ ଅସୁବିଧାର ସମ୍ମୁଖିନ ହେଇଛନ୍ତି। ତେଣୁ ତୁରନ୍ତ ପୋଲ ପୁନଃ ନିର୍ମାଣ ପାଇଁ କଲମପୁର ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରାମବାସୀ।ସୂଚନାଯୋଗ୍ୟ ଯେ, କଲମପୁର ବ୍ଲକ ଏବଂ ଜୟପାଟଣା ବ୍ଲକର ଏକ ଅର୍ନ୍ତସଂଯୋଗ ଏହି ରାସ୍ତା। ପ୍ରତିଦିନ ଏହି ରାସ୍ତା ଦେଇ କଲମପୁର ବ୍ଲକର ମୀନଗୁର, ଭଇଁରୀ ସମେତ ଜୟପାଟଣା ବ୍ଲକର ଉମେର ଏବଂ ରଣମାଲ ଗ୍ରାମବାସୀଙ୍କ ମଧ୍ୟରେ ଯାତାୟତ ରହିଥାଏ। ଏହାସହ ମଣ୍ଡଳ, କୋଟାଗାଁ, ଏବଂ ନୁଆଗାଁ ପଂଚାୟତ ଅଂଚଳର ଲୋକେ ଏହି ରାସ୍ତା ଦେଇ ଜୟପାଟମା ମୋଟେର ମୁଖ୍ୟ ରାସ୍ତାକୁ ଯାତାୟତ କରିଥାନ୍ତି। ରିତୀମତ ଏହି ରାସ୍ତାରେ ଶତାଧିକ ଲୋକ ଯାତାୟତ କରୁଥିବାରୁ ଅଂଚଳର କେ ଗୁରୁତ୍ୱପୂର୍ଣ୍ଣ ରାସ୍ତା। ଏହି ଅଂଚଳର ଛୋଟ ବ୍ୟବସାୟୀ ଏହି ରାସ୍ତା ଦେଇ ଜୟପାଟଣା ସମେତ କୋକସରା ଅଂଚଳକୁ ଯାଇ ନିଜ ନିଜ ବେପାର କରିଥାନ୍ତି। ତେଣୁ ଏହି ରାସ୍ତା ଅଂଚଳର ଲୋକଙ୍କ ପାଇଁ ଜୀବନ ରେଖା ପାଲଟିଛି। ଏହି ରାସ୍ତାର ପୋଲ ଭାଙ୍ଗିଯିବା ଯୋଗୁଁ ଅଂଚଳବାସୀଙ୍କ କ୍ଷତିଗ୍ରସ୍ଥ ହେଇଛନ୍ତି। ତେଣୁ ତୁରନ୍ତ ଏହାର ପୁନଃ ନିର୍ମାଣ ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଏହି ସୂଚନା ପାଇବା ପରେ ବି.ଡି.ଓ ଶ୍ରୀ ମାଣ୍ଡାଙ୍ଗି ତୁରନ୍ତ ପୋଲର କ୍ଷୟ କ୍ଷତି ଆକଳନ କରିବା ପାଇଁ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ସ୍ମୃତୀ ରଞ୍ଜନ ସେଠୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ଇଂ. ଶ୍ରୀ ସେଠୀ ଘଟଣା ସ୍ଥଳରେ ପହଂଚି କ୍ଷତିଗ୍ରସ୍ତ ପୋଲ ଦେଖିଥିଲେ। ଏହି ପୋଲ ନିର୍ମାଣ ପାଇଁ ସରକାରଙ୍କ ଦୁଇଟି ଯୋଜନାରେ ସାମିଲ କରାଯାଇଛି। ପୋଲ ନିର୍ମାଣ ପାଇଁ ସ୍ୱୀକୃତ ମିଳି ସାରିଥିବା ଅର୍ଥ ଅନୁଦାନ ଆସିବା ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବି.ଡି.ଓ ଶ୍ରୀ ମାଣ୍ଡାଙ୍ଗି ସୂଚନା ଦେଇଛନ୍ତି।

Leave A Reply

Your email address will not be published.