ମାତିଛନ୍ତି ଏରଗୁଲା ଗ୍ୟାଙ୍ଗ୍

ଜୟପୁର: ବ୍ୟାଙ୍କରୁ ଟଙ୍କା ଉଠାଉଛନ୍ତି କି? ତେ‌ବେ ସାବଧାନ। ପିଛା କରୁଛି ଏରଗୁଲା ଗ୍ୟାଙ୍ଗ୍। ଲୁଟ୍ ପରେ ଟଙ୍କା ନେଇ ଆଖି ପିଛୁଳାକେ ଗାଏବ ହୋଇ ଯାଉଛନ୍ତି। ଜୟପୁର ଗୁପ୍ତଦାସ କଲୋନିରୁ ଗତ ୧୫ତାରିଖରେ ଡିକି ଭାଙ୍ଗି ୩ଲକ୍ଷ ଲୁଟିଛନ୍ତି। ସିସି କ୍ୟାମେରା ଫୁଟେଜ୍‌ରେ ଗ୍ୟାଙ୍ଗ୍ ସଦସ୍ୟ ଚିହ୍ନଟ ହୋଇଥିଲେ ମଧ୍ୟ ପୁଲିସ୍ ଏଯାବତ୍ କୌଣସି ଥଳକୂଳ ପାଉନି। ଗୁପ୍ତଦାସ କଲୋନିର ଜୋହରାଜ ପଟ୍ଟନାୟକ ଗତ ୧୫ତାରିଖରେ ଜୟପୁର ଷ୍ଟେଟ ବ୍ୟାଙ୍କ ବଜାର ଶାଖାରୁ ୩ଲକ୍ଷ ଟଙ୍କା ଉଠାଇଥିଲେ। ସ୍କୁଟି ଡିକିରେ ଟଙ୍କା ରଖି ଶାଳୀଙ୍କ ସହ ଫେରିଥିଲେ। ଶାଳୀଙ୍କୁ ଅଫିସରେ ଛାଡ଼ିବା ପରେ ଜୋହରାଜ ଘରକୁ ଫେରିଥିଲେ। ଗୁରୁତ୍ବପୂର୍ଣ୍ଣ କାମରେ ପୁଣି ବାହାରକୁ ଯିବାକୁ ଥିବାରୁ ଡିକିରୁ ଟଙ୍କା ବାହାର ନ କରି ଘରକୁ ଯାଇ ୩ ମିନିଟ୍ ମଧ୍ୟରେ ବାହାରକୁ ଆସିଥିଲେ। ବାହାରକୁ ଆସିବା ପରେ ସ୍କୁଟି ଡିକି ଭଙ୍ଗା ଯାଇଥିବା ଦେଖି ବିଚଳିତ ହୋଇଯାଇଥିଲେ। ଡିକି ଖୋଲିବା ପରେ ଟଙ୍କା ନଥିବା ଦେଖି ବ୍ୟସ୍ତବିବ୍ରତ ହୋଇ ଜୟପୁର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର ପାଇନି। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଜୋହରାଜଙ୍କ ସ୍କୁଟି ପଛରେ ୩ଟି ବାଇକ୍ ପିଛା କରୁଥିବା ପୁଲିସ୍ ଅନୁମାନ କରିଛି। ଜୟପୁର ମେନ୍ ରୋଡ୍, ଷ୍ଟେଟ୍ ବ୍ୟାଙ୍କ ବଜାର ଶାଖା ସମ୍ମୁଖ, ବାଣିଜ୍ୟ କର ଅଫିସ୍ ଛକ, ପାୱାର୍ ହାଉସ୍ ଛକରୁ ସଂଗ୍ରହ ହୋଇଥିବା ସମସ୍ତ ଫୁଟେଜ୍‌ରେ କଳା ରଙ୍ଗର ୩ଟି ୟୁନିକର୍ଣ୍ଣ ବାଇକ ଜୋହରାଜଙ୍କ ପିଛା କରୁଥିବା ସ୍ପଷ୍ଟ ହୋଇଛି। ୩ଟି ବାଇକରେ ଥିବା ୬ ଗ୍ୟାଙ୍ଗ୍ ସଦସ୍ୟ ଏରଗୁଲା ଗ୍ୟାଙ୍ଗର। ଜୋହରାଜ ସ୍କୁଟି ରଖି ଘର ଭିତରକୁ ଯିବା ପରେ ଗୋଟିଏ ବାଇକରେ ଥିବା ଏରଗୁଲା ଗ୍ୟାଙ୍ଗର ସଦସ୍ୟ ଡିକି ଭାଙ୍ଗୁଥିବା ବେଳେ ଅନ୍ୟ ଦୁଇ ବାଇକରେ ଥିବା ୪ ସଦସ୍ୟ ଲୋକଙ୍କ ଉପରେ ନଜର ରଖିଥିଲେ। ଟଙ୍କା ମିଳିବା ପରେ ୩ଟି ବାଇକରେ ସଭିଁଏ ଫେରାର୍ ହୋଇ ଯାଉଥିବା କ୍ୟାମେରାରେ ରେକର୍ଡ ହୋଇଛି। ଫୁଟେଜ୍ ଆଧାରରେ ଜୟପୁର ପୁଲିସ୍ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ଭୁବନେଶ୍ବର କମିସନରେଟ୍ ପୁଲିସ୍ ସହ ବିଭିନ୍ନ ଜିଲ୍ଲା ପୁଲିସର ସହାୟତା ଲୋଡିଛି।

gpkandhamal

ପୂର୍ବରୁ ଏହି ଗ୍ୟାଙ୍ଗ୍ ରାୟଗଡ଼ା ସମେତ ବ୍ରହ୍ମପୁର, ଭୁବନେଶ୍ବରରେ ସକ୍ରିୟ ଥିଲେ। ୬ମାସ ତଳେ କମିସନରେଟ୍ ପୁଲିସ୍ ଏରଗୁଲା ଗ୍ୟାଙ୍ଗର ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୧୯ରେ ଏରଗୁଲା ଗ୍ୟାଙ୍ଗ୍ ସଦସ୍ୟ ରାୟଗଡ଼ା ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ ସ୍ବଂୟ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ନିକଟରୁ ୨ଲକ୍ଷ ଟଙ୍କା ଝାମ୍ପି ନେଇଥିଲେ। ରାୟଗଡ଼ା ପୁଲିସ୍ ଆନ୍ଧ୍ରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏହି ଗ୍ୟାଙ୍ଗ ସଦସ୍ୟକୁ ଗିରଫ କରିବା ସହ ଲୁଟ୍ ଟଙ୍କା ଉଦ୍ଧାର କରିଥିଲା। ଏବେ ଏରଗୁଲା ଗ୍ୟାଙ୍ଗ୍ ସଦସ୍ୟ କୋରାପୁଟ, ଜୟପୁର ମୁହାଁ ହୋଇଛନ୍ତି। ଗ୍ୟାଙ୍ଗ୍ ସଦସ୍ୟଙ୍କ ଘର ଆନ୍ଧ୍ରପ୍ରଦେଶରେ ହୋଇଥିବା ବେଳେ ଓଡ଼ିଶାରେ ପଶି ଲୁଟ୍‌ କରୁଛନ୍ତି। ଗ୍ୟାଙ୍ଗର ନେଟୱର୍କ ଆନ୍ଧ୍ର-ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ମଧ୍ୟ ଲମ୍ବିଥିବା ପୁଲିସ୍ ତଦନ୍ତରୁ ଜଣାପଡିଛି।

Umasankar Adv
Leave A Reply

Your email address will not be published.