ପ୍ରେମରେ କଣ୍ଟା ସାଜିବାରୁ ସ୍ବାମୀଙ୍କୁ ହତ୍ୟା

ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଗୋଗୁଆ ପଞ୍ଚାୟତ ଭାଙ୍ଗଡିହି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଦିଅର ସହିତ ଅବୈଧ ପ୍ରେମରେ ସ୍ବାମୀଙ୍କ ଉପସ୍ଥିତି କଣ୍ଟା ସାଜିବାରୁ ଶେଷରେ ପତ୍ନୀ ନିଜ ସ୍ବାମୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଅଭିଯୁକ୍ତ ଦିଅର-ଭାଉଜଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଘଟଣାଟି ସମଗ୍ର ବଣାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ ଭାଙ୍ଗଡିହିରେ ରହୁଥିବା ସୁଜିତ କୁମାର ସାହୁ ଆଜକୁ ଚାରିବର୍ଷ ପୂର୍ବେ ନରେନ୍ଦ୍ର ଗ୍ରାମର ଅନୀତା(୨୩)ଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପୂର୍ବରୁ ଦିଅର ସୁରେଶ ସହିତ ଅନୀତାଙ୍କ ପ୍ରେମ ସମ୍ପର୍କ ରହିଥିବା କୁହାଯାଉଛି। ସୁଜିତ ନିଜ କାମକୁ ନେଇ ଅନେକ ସମୟରେ ଘରେ ଅନୁପସ୍ଥିତ ରହୁଥିବାରୁ ଏହାର ସୁଯୋଗ ନେଇ ଅନୀତା ଦିଅର ତଥା ପ୍ରେମିକ ସହ ସମ୍ପର୍କ ରଖି ଆସୁଥିଲେ। ପ୍ରେମରେ ଅନ୍ଧ ହୋଇ ଶେଷରେ ନିଜ ସ୍ବାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଗତ ୨୦ ତାରିଖ ଦିନ ସୁଜିତ ନିଜକାମରୁ ଫେରି ନିଶାସକ୍ତ ଅବସ୍ଥାରେ ଘର ନିକଟରେ ଥିବା ଡ୍ରେନ୍‌ରେ ପଡ଼ି ଯାଇଥିଲେ। ସୁଜିତଙ୍କ ସାଙ୍ଗ ଏହା ଦେଖି ଅନୀତାଙ୍କୁ ଖବର ଦେବାପରେ ସେ ଆସି ତାଙ୍କୁ ଉଠାଇ ଘରକୁ ନେଇଥିଲେ। ସୁଜିତ ଅଚେତ ଅବସ୍ଥାରେ ଥିବାରୁ ଏହାକୁ ସୁଯୋଗ ଭାବି ଅନୀତା ଘରେ ଥିବା ଠେଙ୍ଗାରେ ତାଙ୍କ ମୁଣ୍ଡକୁ ୩-୪ ଥର ଆଘାତ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

gpkandhamal

ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ଜାଣି ଅଧଘଣ୍ଟା ପରେ ଦିଅରକୁ ଡାକିଥିଲେ ଅନୀତା। ପ୍ରମାଣ ନଷ୍ଟ କରିବା ପାଇଁ ଘରକୁ ସଫାକରି ରକ୍ତଲଗା ବେଡ୍‌ସିଟ୍‌, ତକିଆ ଆଦିକୁ ନିଆଁ ଲଗାଇ ନଷ୍ଟ କରି ଦେଇଥିଲେ। ସୁଜିତ ଡ୍ରେନ୍‌ରେ ପଡ଼ି ଅଚେତ ହୋଇଯାଇଛନ୍ତି କହି ଦିଅର ଓ ଗାଁ’ଲୋକଙ୍କ ସହାୟତାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବଣାଇ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ସୁଜିତଙ୍କୁ ମୃତ ଘୋଷଣା କରିଥିଲେ। ସଂପର୍କୀୟ ବଳରାମ ସାହୁଙ୍କ ଲିଖିତ ଅଭିଯୋଗ ଅନୁସାରେ ବଣାଇ ପୁଲିସ ଏକ ମାମଲା ରୁଜୁକରି ସାଇଣ୍ଟିଫିକ ଟିମ୍ ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତକରି ଅନେକ ପ୍ରାମାଣିକ ତଥ୍ୟ ଯୋଗାଡ଼ କରିଥିଲା। ବ୍ୟବଚ୍ଛେଦ ପରେ ଶବ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ସନ୍ଦେହରେ ଦିଅର ସୁରେଶ ଓ ଭାଉଜ ଅନୀତାଙ୍କୁ ଥାନାକୁ ଆଣି ପଚରାଉଚୁରା କରିବାରୁ ଅନୀତା ନିଜେ ହତ୍ୟା କରିଥିବା ସ୍ବୀକାର କରିଥିଲେ। ବଣାଇ ପୁଲିସ କେସ୍ ନମ୍ବର ୧୫୬,  ଧାରା ୩୦୨/୨୦୧ ଅନୁସାରେ ଏକ ହତ୍ୟା ମାମଲା ରୁଜୁକରି ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Umasankar Adv
Leave A Reply

Your email address will not be published.