ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ଶିଶୁକନ୍ୟା ମୃତ

ବରୀ: ବରୀ ବ୍ଲକ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ଜଣେ ୬ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶିଶୁକନ୍ୟାର ପରିବାର, ସଂପର୍କୀୟ ଓ ଗ୍ରାମବାସୀ ଭଙ୍ଗାରୁଜା କରିବା ସହିତ ପୋଡ଼ାଜଳା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଅଲିପୁର ପଞ୍ଚାୟତର ବିରଞ୍ଚି ଗେଡ଼ିଙ୍କ ଝିଅ ଅର୍ପିତା ଗେଡ଼ି (୬) ଙ୍କୁ ଜ୍ବର ହୋଇଥିଲା। ରବିବାର ସକାଳେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ପିଲାଟି ସକାଳେ ଖୁସିରେ ଖେଳୁଥିଲା। ଡାକ୍ତରଖାନା ନିକଟରେ ଘର ହୋଇଥିବାରୁ ବାପାଙ୍କ ସହିତ ଚାଲିକରି ଆସିଥିଲା। ସେଠାରେ ଉପସ୍ଥିତ ଥିବା ଆୟୁଷ ଡାକ୍ତର ଶଶିକାନ୍ତ ସାହୁ ପିଲାଟିର ଚିକିତ୍ସା କରିଥିଲେ। ଡାକ୍ତରଙ୍କ ନିଦାନ ଅନୁସାରେ ଉପସ୍ଥିତ ନର୍ସ ଶିଶୁଟିକୁ ଇଞ୍ଜେସନ ଦେଇଥିଲେ। ଏହାର କିଛି ସମୟ ଭିତରେ ଝାଡ଼ାବାନ୍ତି ହୋଇ ସେ ଚେତାଶୂନ୍ୟ ହୋଇଯାଇଥିଲା। ପରେ ଶିଶୁଟିର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ କହିଛନ୍ତି। ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ କୁନିଝିଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଭଳି ଅଘଟଣ ଘଟିବା ପରେ ଚିକିତ୍ସା କରିଥିବା ଡାକ୍ତର ଡାକ୍ତରଖାନାରୁ ପଳାଇଯାଇଥିଲେ। ଏଣେ ପରିସ୍ଥିତି ବିଗିଡ଼ିବା ସହ ଉତ୍ତ୍ୟକ୍ତ ଲୋକମାନେ ଭଙ୍ଗାରୁଜା କରିବା ସହିତ କାଗଜପତ୍ର ମଧ୍ୟ ପୋଡ଼ିଦେଇଥିଲେ। ବହିର୍ବିଭାଗକୁ ଘେରିବା ସହିତ ରୋଗୀ ଚିକିତ୍ସାକୁ ବନ୍ଦ କରିଦେଇଥିଲେ। ଅନ୍ତର୍ବିଭାଗର ମୁଖ୍ୟ ଫାଟକୁ ବନ୍ଦକରି ମହିଳାମାନେ ବସିରହିଥିଲେ। ଖବରପାଇ ବରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପୁଲିସ ଉପସ୍ଥିତିରେ ବହିର୍ବିଭାଗରେ ଡାକ୍ତର ରୋଗୀ ଦେଖିଥିଲେ। ବହୁ ସମୟ ଧରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବା ସହ ପରିସର ଲୋକାରଣ୍ୟ ହୋଇ ରହିଥିଲା। ଖବର ପାଇ କିଛି ଘଣ୍ଟାର ବ୍ୟବଧାନରେ ପହଞ୍ଚିଥିଲେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ। ମାତ୍ର ଗତକାଲିଠାରୁ ଅନୁପସ୍ଥିତ ଥିବା ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଦେଖା ନଥିଲା। ବହୁ ସମୟଧରି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ବରୀ ତହସିଲଦାର ତିଳୋତ୍ତମା ପୃଷ୍ଟି, ବରୀ ଥାନା ଅଧିକାରୀ ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଡାକ୍ତରଖାନାରେ ଅବ୍ୟବସ୍ଥାକୁ ନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ବିରକ୍ତି ପ୍ରକାଶ କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଅଧିକାଂଶ ସମୟ ଅନୁପସ୍ଥିତ ରହୁଥିବା, ଆୟୁଷ ଡାକ୍ତରଙ୍କ ହାତରେ ସଂପୂର୍ଣ୍ଣ ଚିକିତ୍ସା ଦାୟିତ୍ବ ଛାଡ଼ିଦେବା ଦ୍ବାରା ବାରମ୍ବାର ଏପରି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ।

gpkandhamal

କିଛିଦିନ ତଳେ ଆବଶ୍ୟକ ଚିକିତ୍ସା କରାନଯିବାରୁ ଆଉଜଣେ ଶିଶୁର ମୃତ୍ୟୁ ଘଟିଥିଲା। ଆଜି ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ଦ୍ବିତୀୟ ଶିଶୁର ମୃତ୍ୟୁ ଘଟିଲା। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରିଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ। ଏନେଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଜିଲ୍ଲା ରେଡକ୍ରସ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତ ଶିଶୁର ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଥିଲା।

Umasankar Adv
Leave A Reply

Your email address will not be published.