ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍‌ ଗ୍ରେଡ୍ ପୁନଃମୂଲ୍ୟାୟନ ପ୍ରସଙ୍ଗ: ପହଞ୍ଚିଲା ୩ଜଣିଆ ପ୍ରତିନିଧି ଦଳ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଗସ୍ତରେ ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌(ନାକ୍‌)ର ୩ଜଣିଆ ପ୍ରତିନିଧି ଦଳ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଏହି ପ୍ରତିନିଧି ଦଳ ଆସନ୍ତାକାଲି (ବୁଧବାର) ସକାଳୁ କ୍ୟାମ୍ପସକୁ ଗସ୍ତ କରିବେ। ତିନିଦିନିଆ ଗସ୍ତରେ ଆସିଥିବା ଏହି ପ୍ରତିନିଧିଦଳ ଟିଚିଂ ଲର୍ଣ୍ଣିଂ ଓ ଇଭାଲ୍ୟୁଏସନ୍‌, ଗବେଷଣା, ପରାମର୍ଶ ଓ ସମ୍ପ୍ରସାରଣ, ଭିତ୍ତିଭୂମି, ଷ୍ଟୁଡେଣ୍ଟ ସପୋର୍ଟ ଓ ପ୍ରୋଗ୍ରେସନ୍‌, ଗଭର୍ଣ୍ଣାନ୍ସ, ଲିଡରସିପ୍‌ ଓ ମ୍ୟାନେଜ୍‌ମେଣ୍ଟ, ଇନୋଭେସନ୍‌ ପରି ବିଷୟ ଉପରେ ସମୀକ୍ଷା କରିବେ। ପୂର୍ବାହ୍ନରେ ପ୍ରତିନିଧି ଦଳ କ୍ୟାମ୍ପସରେ ପହଞ୍ଚିବା ପରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା‌ ଆଚାର୍ଯ୍ୟଙ୍କ ସମେତ ଆଇକ୍ୟୁଏସି ନିର୍ଦ୍ଦେଶକ ରିପୋର୍ଟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ସିଣ୍ଡିକେଟ୍‌ ସଦସ୍ୟଙ୍କ ସମେତ ମୋଟ ୨୪ଜଣଙ୍କ ସହ ପ୍ରତିନିଧି ଦଳ ମଧ୍ୟାହ୍ନଭୋଜନ କରିବେ। ଗସ୍ତର ପ୍ରଥମ ଦିନ ପ୍ରତିନିଧି ଦଳ ବିଭିନ୍ନ ବିଭାଗ ବୁଲି ପାଠପଢ଼ା, କ୍ଲାସରୁମ୍‌, ଲାବରୋଟାରି ପରି ଭିତ୍ତିଭୂମିର ତଦାରଖ କରିବେ। ପ୍ରତିନିଧି ଦଳ ସହ ବିଶ୍ବବିଦ୍ୟାଳୟର କୌଣସି ଅଧିକାରୀ ରହିବେ ନାହିଁ, ବରଂ ସହଯୋଗ କରିବାକୁ ବିଶ୍ବବିଦ୍ୟାଳୟର ଏକ ଟିମ୍‌ ରହିବ। ପ୍ରତିନିଧି ଦଳର ଗସ୍ତ ସମୟରେ କୁଳପତି, କୁଳସଚିବ ଓ ବିଭାଗୀୟ ମୁଖ୍ୟମାନେ ନିଜ ନିଜ ଅଫିସ୍‌ରେ ଉପସ୍ଥିତ ରହିବେ। ସନ୍ଧ୍ୟାରେ ଏମ୍‌କେସିଜି ପ୍ରେକ୍ଷାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗସ୍ତର ଦ୍ବିତୀୟ ଓ ତୃତୀୟ ଦିବସରେ ଲାଇବ୍ରେରି, ହଷ୍ଟେଲ, ଗବେଷଣାଗାର, କ୍ୟାଣ୍ଟିନ୍‌, କ୍ରୀଡ଼ା ଭିତ୍ତିଭୂମି, ଷ୍ଟାଡିୟମ୍‌, ଗେଷ୍ଟହାଉସ୍‌ ପରି ଭିତ୍ତିଭୂମି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ୨୦୧୬ରୁ ଆଜି ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟରେ କେତେ ଗବେଷଣା ହୋଇଛି, କେଉଁ ବିଭାଗ କେତେ ସଫଳ ହୋଇଛନ୍ତି, ତାହାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସମସ୍ତ ବିଭାଗ ନିଜ ନିଜର ଗବେଷଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସହ ଡକ୍ୟୁମେଣ୍ଟେସନ୍‌ କରିଛନ୍ତି। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ସେଣ୍ଟ୍ରାଲ କ୍ୟା‌ଣ୍ଟିନ୍‌ର ପୁନରୁଦ୍ଧାର କରାଯିବା ସହ ଆଜି ତାହାକୁ ଖୋଲାଯାଇଛି। ସେପଟେ ନାକ୍‌ ଟିମ୍‌ ଗସ୍ତ ପୂର୍ବରୁ ଆଜି କ୍ୟାମ୍ପସରେ ଅସନ୍ତୋଷ ଦେଖାଦେଇଛି।

gpkandhamal

ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ କାର୍ଯ୍ୟାଳୟରେ ଲାଗିଥିବା ପୂର୍ବତନ ସଭାପତି ଓ ସମ୍ପାଦକଙ୍କ ନାମ ଫଳକରୁ ନାଁ ଲିଭାଇବାକୁ ଉଦ୍ୟମ ହୋଇଥିବା ଦେଖିବାକୁ ମିଳିଛି। ୧୯୯୦-୯୧ ମସିହାରୁ ତାଲିକା ରହିଥିବା ବେଳେ ୨୦୧୬-୧୭ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟ ସଭାପତି ଥିବା ମହେଶ ପ୍ରସାଦଙ୍କ ନାମକୁ କେହି ଦୁର୍ବୃତ୍ତ ଲିଭାଇଛନ୍ତି। ପୂର୍ବତନ ସଭାପତି ଶ୍ରୀ ପ୍ରସାଦ କହିଛନ୍ତି, ୨୦୧୬ ଛାତ୍ର ସଂସଦ ନିର୍ବାଚନ ପରେ ନାକ ଟିମ୍ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଗସ୍ତରେ ଆସି ‘ଏ+’ ଗ୍ରେଡ୍‌ ପ୍ରଦାନ କରିଥିଲା। ଏହି ସଫଳତା ପଛରେ ସମସ୍ତ ପ୍ରଫେସର, ଛାତ୍ରଛାତ୍ରୀଙ୍କ ନିଷ୍ଠା ରହିଥିଲା। ଛାତ୍ର ସଂସଦ ପ୍ରତିନିଧିମାନେ ସେମାନଙ୍କ ଦାବି ମୁତାବକ ଇ-ଲାଇବ୍ରେରି, ଭାଷା ବିଭାଗ, ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌, ଛାତ୍ର ସଂସଦ ରୁମ୍‌, ଉନ୍ନତମାନର ରାସ୍ତାଘାଟ ପାଇଁ ଦାବି ଉପସ୍ଥାପନ କରି ସଫଳ ହୋଇଥିଲେ। ମାତ୍ର କିଛି ଜଣ କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରି ନାମ ଫଳକରୁ ନାଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୬ରେ ନାକ୍‌ ଗସ୍ତ ସମୟରେ ଶିକ୍ଷାନୁଷ୍ଠାନକୁ ‘ଏ+’ ଗ୍ରେଡ୍‌ ମାନ୍ୟତା ମିଳିଥିଲା। ତେବେ ଗତ ଏପ୍ରିଲରେ ନାକ୍‌ର ୫ଜଣିଆ ପ୍ରତିନିଧି ଦଳ ଗସ୍ତ କରିବା ସହ ‘ଏ’ ଗ୍ରେଡ୍‌ ପ୍ରଦାନ କରିଥିଲେ। ମୂଲ୍ୟାୟନ ଠିକ୍‌ ଭା‌ବେ ହୋଇ ନ ଥିବା ଅଭିଯୋଗ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୁନଃମୂଲ୍ୟାୟନ କରିବାକୁ ଦାବି ଉପସ୍ଥାପନ କରିଥିଲେ। ତାହାକୁ ଆଧାର କରି ପୁଣିଥରେ ଗସ୍ତ କରିଥିବା ଏହି ଟିମ୍‌ଠାରୁ ‘ଏ+’ ପାଇବାକୁ କର୍ତ୍ତୃପକ୍ଷ ଆଶାବାଦୀ ରହିଛନ୍ତି।

Umasankar Adv
Leave A Reply

Your email address will not be published.