ପ୍ରାଣନାଥଙ୍କ ଜୀବନ ଥିଲା ସଂଘର୍ଷମୟ : ବିଶ୍ବଭୂଷଣ

ଭୁବନେଶ୍ବର : ଆଜୀବନ ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକ ଓଡ଼ିଶାରେ ବୈପ୍ଳବିକ ଚେତନାର ଅଗ୍ରଦୂତ ଥିଲେ।  ସ୍ବାଧୀନତା ସଂଗ୍ରାମରେ ତାଙ୍କର ବଡ଼ ଅବଦାନ ଥିଲା। ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ସେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ତାଙ୍କର ଜୀବନ ସଂଘର୍ଷମୟ ଥିଲା ବୋଲି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମତପୋଷଣ କରିଛନ୍ତି।
ସ୍ବାଧୀନତା ସଂଗ୍ରାମର ଅଗ୍ରଗାମୀ ଯୋଦ୍ଧା, ସାମ୍ୟବାଦୀ ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା, କୃଷକ ଓ ଗଡ଼ଜାତ ଆନ୍ଦୋଳନର ନେତା, ଶିକ୍ଷାବିତ ଓ ସାହିତ୍ୟିକ ପ୍ରାଣନାଥ ପଟ୍ଟନାୟକଙ୍କ ୫୩ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧବାର୍ଷିକୀ ସମାରୋହରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ସବୁକ୍ଷେତ୍ରରେ ପ୍ରାଣନାଥ  ଲଢ଼େଇ ଜାରି ରଖିଥିଲେ। ଇଂରେଜଙ୍କ ଅତ୍ୟାଚାର ବିରୋଧରେ ସେ ସ୍ବର ଉତ୍ତୋଳନ କରିଥିଲେ। ସେ ୧୦ ଥର କାରାଗାର ଯାଇଥିଲେ। କାରାଗାର ଯିବା ପରେ ସେ ତାଙ୍କ ପରିବାର ବିଷୟରେ ଚିନ୍ତା କରିନଥିଲେ। ଜୀବନରେ ଯେକୌଣସି ମୂଲ୍ୟ ଦେବାକୁ ସେ ସର୍ବଦା ପ୍ରସ୍ତୁତ ଥିଲେ। ଦଳିତ, ନିଷ୍ପେସିତ, ଗରିବ ଓ ସାଧାରଣ ଲୋକଙ୍କ ଉନ୍ନତି ପାଇଁ ସେ କାମ କରୁଥିଲେ। ପ୍ରଜା ମଣ୍ଡଳ ଆନ୍ଦୋଳନରେ ସେ ନେତୃତ୍ବ ନେଇଥିଲେ। ମାଟି ମା’ ପାଇଁ ସେ ଲଢ଼େଇ କରୁଥିଲେ। ତାଙ୍କ କଥାରେ ଯାଦୁକରୀ ସ୍ପର୍ଶ ଥିଲା। କୃଷକଙ୍କ ପାଇଁ ସେ ଲଢ଼ୁଥିଲେ। ଦେଶର ମୁକ୍ତି ପାଇଁ ଯେତେ ସଂଘର୍ଷ ଓ ଲଢ଼େଇ ହୋଇଛି; ସେଥିରେ ତାଙ୍କର ଅସୀମ ଅବଦାନ ପାଇଁ ସେ ସର୍ବଦା ନମସ୍ୟ ରହିବେ। ଶିକ୍ଷା କ୍ଷେତ୍ରରେ ମଧ୍ୟ ସେ ଛାପ ଛାଡ଼ି ଯାଇଛନ୍ତି।  ବହୁ କଷ୍ଟରେ ଚାନ୍ଦା ଆଦାୟ କରି ସେ ପ୍ରାଣନାଥ କଲେଜ ଗଢ଼ିଥିଲେ। ପ୍ରତି କ୍ଷେତ୍ରରେ ତାଙ୍କର ତ୍ୟାଗ ପ୍ରଦର୍ଶିତ ହୋଇଛି ବୋଲି ରାଜ୍ୟପାଳ କହିଥିଲେ।

Leave A Reply

Your email address will not be published.