ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ଥାନାରେ ବିବାହ ଅବୈଧ

ଲକ୍ଷ୍ନୌ : ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଏକ ଦମ୍ପତିଙ୍କ ମାମଲାର ଶୁଣାଣି କରି କହିଛନ୍ତି; ସାତଫେରା ପ୍ରକ୍ରିୟା ବିନା କୌଣସି ବିବାହକୁ ବୈଦିକ ବିବେଚନା କରାଯାଏ ନାହିଁ, ତେଣୁ ଏଭଳି ବିବାହ ବୈଧ ନୁହେଁ।
ହିନ୍ଦୁ ଧର୍ମରେ ବିବାହକୁ ନେଇ ଅନେକ ରୀତିନୀତି ଓ ପଦ୍ଧତି ରହିଛି। ଏହି ଆଧାରରେ ବିବାହକୁ ସ୍ୱୀକୃତି ଦିଆଯାଏ। ଏହାର ଅନେକ ସର୍ଟକଟ୍ ପକ୍ରିୟା ବର୍ତ୍ତମାନ ସମାଜରେ ବ୍ୟବହୃତ ହେଉଛି। ଏପରି ଏକ ସର୍ଟକଟ୍ ହେଉଛି ଥାନାରେ ବିବାହ କରିବା। ପୁଲିସ ସାମ୍ନାରେ ପରସ୍ପରକୁ ବିବାହ କରିବା ଆଉ ବୈଧ ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଏକ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି; ହିନ୍ଦୁ ବିବାହର ସାତଫେରା ଏକ ଜରୁରୀ ଉପାଦାନ। ରୀତିନୀତି ଅନୁଯାୟୀ ବିବାହ ଆଇନ ଦୃଷ୍ଟିରେ ବୈଧ ବିବାହ ଭାବରେ ବିବେଚନା କରାଯିବ। କୋର୍ଟ କହିଛନ୍ତି, ହିନ୍ଦୁ ବିବାହ ଆଇନରେ ରୀତିନୀତିକୁ ଶ୍ରେଷ୍ଠତା ପ୍ରଦାନ କରାଯାଇଛି। ଯଦି ବୈଦିକ ନିୟମ ଅନୁଯାୟୀ ଏହି ବିବାହ ଉତ୍ସବ ପାଳନ କରାଯାଇ ନାହିଁ, ତେବେ ଆଇନ ଦୃଷ୍ଟିରେ ଏଭଳି ବିବାହ ବେଆଇନ ରହିବ। ଯେଉଁ ବିବାହରେ ‘ସପ୍ତପଦୀ’ ଅର୍ଥାତ୍ ଅଗ୍ନିକୁ ସାକ୍ଷୀ ରଖି ବର-କନିଆଁ ସାତ ଥର ଫେରା ନେଇନହାନ୍ତି କିମ୍ବା ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇନାହିଁ ସେ ବିବାହ ହିନ୍ଦୁ ବିବାହ ଆଇନ ଅନୁସାରେ ବୈଧ ନୁହେଁ। ହିନ୍ଦୁ ରୀତି ଆଧାରରେ ଯେଉଁ ବିବାହ ବୈଧ ନୁହେଁ ତାକୁ ବିବାହ ବୋଲି ମାନି ନିଆଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ବାରାଣସୀର ସ୍ମୃତି ସିଂଙ୍କ ଆବେଦନ ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ସଞ୍ଜୟ କୁମାର ସିଂହଙ୍କ ଏକକ ବେଞ୍ଚ ଏହି ରାୟ ଦେଇଛନ୍ତି। ସ୍ମୃତି ୨୦୧୭ରେ ସତ୍ୟମ ସିଂହ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ପରେ ସେ ଶାଶୂଘର ଛାଡ଼ି ବାପଘରେ ରହୁଥିଲେ। ଶାଶୂଘରେ ଯୌତୁକ ନିର୍ଯାତନା ଦେଉଥିବା ନେଇ ଥାନାରେ ସେ ଅଭିଯୋଗ କରିଥିଲେ। ତଦନ୍ତ ପରେ ପୁଲିସ ସ୍ୱାମୀ ଏବଂ ଶାଶୂଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହାପରେ ସତ୍ୟମ, ପତ୍ନୀ ଛାଡ଼ପତ୍ର ନ ଦେଇ ଅନ୍ୟତ୍ର ବିବାହ କରିଥିବାର ଏକ ଅଭିଯୋଗ ଦାଖଲ କରିଥିଲେ। ଏ ନେଇ ମିର୍ଜାପୁର କୋର୍ଟରେ ମାମଲା ବିଚାରାଧୀନ ଚାଲିଛି। ଅପ୍ରେଲ ୧, ୨୦୨୨ରେ କୋର୍ଟ ସ୍ମୃତିଙ୍କୁ ସମନ ପଠାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ମୃତି।

Leave A Reply

Your email address will not be published.