ବିଶ୍ବକପ୍‌ରେ ବଡ଼ ବିପର୍ଯ୍ୟୟ : ଚମ୍ପିଆନ୍‌ ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ

ନୂଆଦିଲ୍ଲୀ : ଆଇସିସି ଦିନିକିଆ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣରେ ଆଫଗାନିସ୍ତାନ ବଡ଼ ବିପର୍ଯ୍ୟୟ ଘଟାଇଛି । ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ ପ୍ରତିଯୋଗିତାର ଅନ୍ୟତମ ଦୁର୍ବଳ ଦଳ ଭାବେ ବିବେଚିତ ଆଫଗାନିସ୍ତାନ ନିକଟରୁ ପରାଜିତ ହୋଇଛି। ରବିବାର ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ୧୩ତମ ମ୍ୟାଚରେ ଇଂଲଣ୍ଡ ୬୯.ରନରେ ଆଫଗାନିସ୍ତାନ ନିକଟରୁ ପରାଜିତ ହୋଇଛି। ଆଫଗାନିସ୍ତାନ ବୋଲରଙ୍କ ମିଳିତ ଆକ୍ରମଣ ଶକ୍ତିଶାଳୀ ଇଂଲଣ୍ଡ ବ୍ୟାଟିଂ ଲାଇନ୍‌କୁ ଧ୍ବସ୍ତ କରିଦେଇଥିଲା। ଇଂଲଣ୍ଡ ୩ୟ ମ୍ୟାଚରୁ ଦ୍ବିତୀୟ ପରାଜୟ ବରଣ କରିଥିବାବେଳେ ଆଫଗାନିସ୍ତାନ ପ୍ରଥମ ବିଜୟ ହାସଲ କରିଛି।
ଆଫଗାନିସ୍ତାନ ରେହମାନଉଲ୍ଲା ଗୁର୍‌ବାଜ୍‌ ୮୦ ଓ ଇକ୍‌ରାମ ଅଖିଲଙ୍କ ୫୮ରନ ବଳରେ ୨୮୪ରନ କରିଥିଲା। ଜବାବରେ ଇଂଲଣ୍ଡ ହ୍ୟାରୀ ବ୍ରୁକ୍‌ଙ୍କ ୬୬ରନ ସତ୍ତ୍ବେ ୨୧୫ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।
୨୮୫ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୩୩ରନରେ ଓପନର ଜନି ବେୟାରଷ୍ଟୋ (୨)ଓ ଫର୍ମରେ ଥିବା ଜୋ ରୁଟ୍‌(୧୧)ଙ୍କ ୱିକେଟ ହରାଇଥିଲା। ୩ୟ ୱିକେଟରେ ଦାୱଦ ମାଲାନ ଓ ହ୍ୟାରୀ ବ୍ରୁକ୍‌ ୩୫ରନ ସଂଗ୍ରହ କରିଥିଲେ। ୬୮ରନ ସ୍କୋର ଥିବାବେଳେ ମାଲାନ ୩୨ରନ କରି ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟରେ ଜୋଶ ବଟ୍‌ଲର ଓ ଲିୟାମ ଲିଭିଙ୍ଗଷ୍ଟୋନ ୨୩ରନ ସଂଗ୍ରହ କରିଥିଲେ। ୯୧ରନ ସ୍କୋର ଥିବାବେଳେ ବଟ୍‌ଲର ୯ରନ କରି ବିଦାୟ ନେଇଥିଲେ। ୧୧୭ରନ ସ୍କୋର ମଧ୍ୟରେ ଦଳ ଅଧା ୱିକେଟ ହରାଇଥିଲା। ଲିଭିଙ୍ଗଷ୍ଟୋନ ୧୦ରନ କରି ଆଉଟ୍‌ ହୋଇଥିଲେ। ୬ଷ୍ଠ ୱିକେଟରେ ସାମ୍‌ କରନ ଓ ବ୍ରୁକ୍‌ ୨୧ରନ ଭାଗୀଦାରି କରିଥିଲେ। ୧୩୮ରନ ସ୍କୋର ଥିବାବେଳେ କରନ ୧୦ରନ କରି ଆଉଟ୍‌ ହୋଇଥିଲେ। ସପ୍ତମ ୱିକେଟର ପତନ ୧୬୦ରନରେ ଘଟିଥିଲା। କ୍ରିସ ୱକ୍‌ସ ୯ରନ କରି ଆଉଟ୍‌ ହୋଇଥିଲେ। ଇଂଲଣ୍ଡ ପାଇଁ ଶେଷ ଆଶା ଭାବେ ବ୍ରୁକ୍‌ କିଛି ସମୟ୍ ଲଢେଇ କରିଥିଲେ। ସ୍କୋର ୧୬୯ରନ ଥିବାବେଳେ ବ୍ରୁକ୍‌ ୬୬ରନ କରି ଆଉଟ୍‌ ହୋଇଥି​‌େ​ଲ। ଇଂଲଣ୍ଡ ଶେଷ ଦୁଇ ୱିକେଟରେ ୪୬ରନ ସଂଗ୍ରହ କରିବା ସହିତ ୪୦.୩ ଓଭରରେ ୨୧୫ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଆଦିଲ ରସିଦ ୨୦,ମାର୍କ ଉଡ୍‌ ୧୮ରନ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ମୁଜିବ୍‌ ଉର ରେହମାନ ଓ ରସିଦ ଖାନ ୩ଟି ଲେଖାଏଁ, ମହମ୍ମଦ ନବୀ ୨ଟି ୱିକେଟ ନେଇଥିଲେ।

Leave A Reply

Your email address will not be published.